ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଶିକ୍ଷିତ ଯୁବକଙ୍କ ଜୈବିକ କୃଷିର ନୂଆ ଅଧ୍ୟାୟ ଦିନ ଥିଲା ଲୋକେ ସାର ଭାବିଲେ ଗାଈ ଗୋରୁ, ଛେଳି, ମହିଷି ଇତ୍ୟାଦିଙ୍କ ଖତକୁ ବୁଝୁଥିଲେ। କେତେକ କ୍ଷେତ୍ରରେ ରାଶି, ବାଦାମ, କରଞ୍ଜ, ମହୁଲ ଓ ନିମରୁ ପ୍ରସ୍ତୁତ ପିଡ଼ିଆ ସହିତ ଦେଶୀୟ ବିହନକୁ ପାରମ୍ପରିକ ଉପାୟରେ ବ୍ୟବହାର କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରୁଥିଲେ। ସେତେବେଳେ ନା ଥିଲା କୃତ୍ରିମ ସାର ନା ସରକାରୀ ବିହନ ଅଭାବର ଅଭିଯୋଗ। କିନ୍ତୁ ସମୟ ବଦଳିବା ସହିତ ଲୋକେ ହାଇବ୍ରିଡ୍ ବିହନ ଓ ରାସାୟନିକ ସାର ସହିତ ଏତେ ଅଭ୍ୟସ୍ତ ଯେ ନିଜ ନିଜ ହାତ ପାଆନ୍ତାର ଜିନିଷକୁ ଭୁଲିଗଲେ। କୃଷି ଉତ୍ପାଦନ ବଢିଲା ସତ ହେଲେ ରାସାୟନିକ ସାର ପ୍ରୟୋଗ ଜନିତ ରୋଗ ବ୍ୟାଧିରେ ଲୋକ ହନ୍ତସନ୍ତ ହୋଇ ପୁଣି ସେହି ଜୈବିକ କୃଷି ଜାତ ପଦାର୍ଥ ପାଇଁ ମୁହଁ ଫେରାଇଲେଣି। ଓଡଗାଁ ବ୍ଲକ୍ ଗିରିଡି ପଲ୍ଲୀ ଗ୍ରାମର ଶିକ୍ଷିତ ଯୁବକ ମୃତ୍ୟୁଞ୍ଜୟ ବେହେରା ଯେକି ଜୀବନ ନାମରେ ଅନେକ ଙ୍କ ମଧ୍ୟରେ ପରିଚିତ, ନିଜର ରୁଚି ସହ ଲୋକମାନଙ୍କ ଆଶା ଆକାଂକ୍ଷାକୁ ନେଇ ନିଜ ଗ୍ରାମ ତଥା ଆଖପାଖରେ ଜୈବିକ କୃଷିର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।
![](https://nayagarhdarpan.com/wp-content/uploads/2021/07/image_editor_output_image82202782-1627410265629.jpg)
ଯୁକ୍ତ ତିନି ପାସ୍ କରିବା ସହିତ ସରକାରୀ ସିଟି ଓ ଅନ୍ୟାନ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାର ବିଭିନ୍ନ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାନଙ୍କରେ ଶିକ୍ଷକତା କରି ଜଣେ ସଫଳ ଶିକ୍ଷକର ପ୍ରଶଂସା ସାଉଁଟି ଛନ୍ତି। ହେଲେ ସେଥିରେ ଅଟକି ନଯାଇ ନିଜ ପରିବାରର ଦୈନିକ ଆବଶ୍ୟକତା ମେଣ୍ଟେଇବା ସହ ଅନ୍ୟମାନଙ୍କୁ ଜୈବିକ ଉପାୟରେ ପ୍ରସ୍ତୁତ ଖାଦ୍ୟ ଶସ୍ୟ ଓ ପନି ପରିବା ଯୋଗାଇ ଦେବାର ସଂକଳ୍ପ ନେଇ କୃଷି ମୁହାଁ ହୋଇଛନ୍ତି। ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ସ୍ବାବଲମ୍ବୀ ହେବାର ଉଦାହରଣ ସୃଷ୍ଟି କରିଛନ୍ତି। ଜୈବିକ କୃଷି ପ୍ରତି ଶ୍ରଦ୍ଧାର ମଞ୍ଜି ଦୀର୍ଘ ଚବିଶ ବର୍ଷ ତଳେ ଯେତେବେଳେ କି ସେ ସପ୍ତମ ଶ୍ରେଣୀରେ ପଢୁଥିଲେ ସେତେ ବେଳେ ପଡ଼ିଥିଲା ଯାହାକି ଏବେ ଅଙ୍କୁରିତ ହୋଇ ଶାଖା ପ୍ରଶାଖା ମେଲିବାକୁ ବସିଛି। ସେ ସମୟରେ ପଦ୍ମଶ୍ରୀ ସାବରମତୀଙ୍କ ପ୍ରେରଣା ଓ ପ୍ରଧାନ ଶିକ୍ଷକ ପରିବେଶ ସାଥି ସୁକାନ୍ତ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଜୈବିକ ଉପାୟରେ ପ୍ରସ୍ତୁତ ବିନା ଚାଷରେ ଚାଷ ବା ନଡ଼ା ବିପ୍ଳବ ନାମରେ ଏକ ବିଜ୍ଞାନ ପ୍ରକଳ୍ପ ନେଇ ରାଜ୍ୟ ସ୍ତରକୁ ମନୋନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ସମୟ କ୍ରମେ ଉଭୟଙ୍କ ଦ୍ଵାରା ପ୍ରେରିତ ହୋଇ ଆଜି ନିଜ ଦୁଇ ଏକର ପରିମିତ ଯାଗାରେ ପୋଖରୀ କରି ମିଶ୍ରିତ କୃଷିର ଏକ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଜୈବିକ ଉପାୟରେ ପନିପରିବା କରିବା ସହିତ ଦେଶୀୟ ଧାନ ବିହନକୁ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଜ ପ୍ରିୟ ଶିକ୍ଷକ ସୁକାନ୍ତ ସାରଙ୍କୁ ତାଙ୍କ କ୍ଷେତରୁ ଉତ୍ପାଦିତ ପ୍ରଥମ ଫସଲ ଗୁରୁ ଦକ୍ଷିଣା ସ୍ବରୂପ ଦେଇ ଗୁରୁ ପରମ୍ପରାର ମହନୀୟତା ବଜାୟ ରଖିଛନ୍ତି। ଜନ ସାଧାରଣଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରିବା ନିମନ୍ତେ ଆଜି କୁରାଳରେ ନିଜ ଉତ୍ପାଦିତ ପଦାର୍ଥର ଏକ ପ୍ରଦର୍ଶନ ତଥା ବିକ୍ରୟ କାର୍ଯ୍ୟ ସୁକାନ୍ତ ସାର୍ , ଶାନ୍ତନୁ ଚୌଧୁରୀ, ରାମକୃଷ୍ଣ ଦାସ, ଜଗମୋହନ ମିଶ୍ର, ସୁରେଶ ଚନ୍ଦ୍ର ସାହୁ ତଥା ଅନ୍ୟ ପରିବେଶ ସାଥିଙ୍କ ଉପସ୍ଥିତିରେ କରିଥିଲେ। ତାଙ୍କର ଏ ମହତ୍ ପ୍ରୟାସ ପାଇଁ ପରିବେଶ କର୍ମୀ ସୁକାନ୍ତ ସାର୍ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଆଗାମୀ ଦିନରେ ନିଜ ବିକ୍ରୟ କେନ୍ଦ୍ର କରିବା ସହିତ ଆବଶ୍ୟକ ସ୍ଥଳେ ଘରେ ପହଞ୍ଚାଇ ଦେବା ପାଇଁ ସେ ବିଚାର ରଖିଛନ୍ତି। ସେ ମହାଶୟଙ୍କ ଏପରି ମହତ୍ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ସାଧୁବାଦ ଜଣାଇ ଛନ୍ତି।