ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ମଧୁସୁଦନ ମହାପାତ୍ର (ମଧୁ ଅଜା)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୧୯୭୮ମସିହା ଫେବୃଆରୀ ୨ତାରିଖରେ ରାଜସୁନାଖଳା କଲେଜର ପ୍ରତିଷ୍ଠାତା ରୂପେ ପରିଚିତ ମଧୁସୁଦନ ମହାପାତ୍ରଙ୍କ ଆଜି ସକାଳ ୬.୪୫ ମିନିଟିରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ଘଟିଛି।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ବେଳକୁ ୮୪ବର୍ଷ ବୋଲି ଜଣା ପଡିଛି । ଆଜି ରାଜସୁନାଖଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ, ପ୍ରତିଷ୍ଠାତା ମଧୁସୂଦନଙ୍କ ମୃତୁ ଖବର ଶୁଣି କଲେଜ ଅଧକ୍ଷଙ୍କ ସମେତ ଛାତ୍ରଛାତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଖବର ପାଇ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ସମିତି ସଭ୍ୟ, ବ୍ଲକ ବିଜେଡି ସଭାପତି, ରାଜ ସୁନାଖଳା କଲେଜ ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ତାଙ୍କ ରାଜସୁନାଖଳାସ୍ଥିତ ବାସ ଭବନରେ ପହଁଚି ମଧୁସୁଦନ ମହାପାତ୍ରଙ୍କ ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।
ମଧୁ ଅଜା ଜଣେ ପରୋପକାରୀ, ମିଷ୍ଟ ଭାଷୀ, ଧର୍ମ ପରାୟଣ ତଥା ସମାଜ ସେବୀ ଏବଂ ବିଶିଷ୍ଠ ନ୍ୟାୟବିତ୍ତ ମଣିଷଭାବେ ଅଂଚଳରେ ବେଶ ପରିଚିତ ଥିଲେ । ସେ ଏକା ଧାରାରେ ରାଜସୁନାଖଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ ଥିବା ସହ ରଣପୁର ବ୍ଲକ ଅଧ୍ୟକ୍ଷ, ଦୁର୍ଗାବଜାରର ସଭାପତି, ଦୋଳ ଯାତ୍ରାର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ବିୟୋଗ ରାଜସୁନାଖଳା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତାଙ୍କର ବଡ ପୁଅ ସତ୍ୟ ନାରାୟଣ ମହାପାତ୍ର ପୁରୀରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।