ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ। ନାଟ୍ୟଧାରା ପକ୍ଷରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭମ ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନୟାଗଡ଼ର ଚମତ୍କାର ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ବିଦ୍ୟାକନକ ସୃଜାନୁଷ୍ଠାନ ଏବଂ ପଞ୍ଚାଧ୍ୱନି, ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ସମ୍ବଲପୁରର ଅଦୃଶ୍ୟ ନାଟ୍ୟାଶ୍ରମ, ରାଉରକେଲାର ସ୍ବସ୍ତି ଝଙ୍କାର ଏବଂ ଭୁବନେଶ୍ୱରର ମ୍ୟାଜିକ ଥିଏଟର ପ୍ରମୁଖ ନାଟ୍ୟାନୁଷ୍ଠାନ ମାନ ନାଟକ ପରିବେଷଣ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ୭ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପ ସଭାପତି ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ କୋଷାଧକ୍ଷ ପ୍ରଦୀପ୍ତ ଡାକୁଆଙ୍କ ସମେତ ସମାଜସେବୀ ଅରୁଣ ମହାନ୍ତି, ସୁରେନ୍ଦ୍ରନାଥ ମହାପାତ୍ର, କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଧାନୀ ବୃନ୍ଦାବନ ମହାପାତ୍ର ତଥା ନାଟ୍ୟଧାରାର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ନାଟ୍ୟଧାରା’ ପକ୍ଷରୁ ମାର୍ଚ୍ଚ ୧ରୁ ପଞ୍ଚମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
