ଅଙ୍ଗଦାନ ପାଇଁ ଏସ୍‌ସିବିରେ ସ୍ୱୀକୃତିପତ୍ର ଦେଲେ ନୟାଗଡ଼ର ଆଦର୍ଶ ଦମ୍ପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜକୁ ଏକ ମହତ୍‌ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ର ଜଣେ ଆଦର୍ଶ ଦମ୍ପତି। ମୃତ୍ୟୁ ପରେ ମଧ୍ୟ ନିଜ ଅଙ୍ଗ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଶା ଓ ଆଲୋକ ଆଣିପାରିବ—ଏହି ମହତ୍‌ ଚିନ୍ତାରେ ଅନୁପ୍ରାଣିତ ହୋଇ ପତି-ପତ୍ନୀ ଉଭୟେ ଅଙ୍ଗଦାନ ପାଇଁ ନିଜ ନିଜର ସ୍ୱୀକୃତିନାମା ଦାଖଲ କରିଛନ୍ତି।

ନୟାଗଡ଼ ପିଟିଏସ୍‌ ରୋଡ୍‌ ଅଞ୍ଚଳର ବାସିନ୍ଦା, ସମସ୍ତଙ୍କର ପ୍ରିୟ କବି, ଗାଳ୍ପିକ ଓ ଗୀତିକାର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରମିଳା ପ୍ରଧାନ କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି। ଏହି ମହତ୍‌ ପଦକ୍ଷେପକୁ ନେଇ ନୟାଗଡ଼ରେ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।ଅଙ୍ଗଦାନ ଭଳି ମହତ୍‌ ଦାନରେ ଗଭୀର ଭାବେ ଅନୁପ୍ରାଣିତ ହୋଇ ଏହି ଦମ୍ପତି ମୃତ୍ୟୁ ପରେ ନିଜ ଅଙ୍ଗ ଅନ୍ୟମାନଙ୍କ ଜୀବନ ରକ୍ଷାରେ ବ୍ୟବହୃତ ହେବା ପାଇଁ ଶପଥ ନେଇଛନ୍ତି। ଏହି ମହତ୍‌ ସଂକଳ୍ପକୁ ଆଇନସମ୍ମତ ଭାବେ ପାଳନ କରିବା ପାଇଁ ସେମାନେ ଏସ୍‌ସିବି ମେଡିକାଲ୍‌ କଲେଜ ସହିତ ଅନୁବନ୍ଧିତ ହୋଇ ଆବଶ୍ୟକ ପଞ୍ଜିକରଣ ପ୍ରକ୍ରିୟା ସମ୍ପନ୍ନ କରିଛନ୍ତି।

ପ୍ରକୃତି ଓ ସ୍ୱଚ୍ଛ ପରିବେଶକୁ ଭଲ ପାଉଥିବା ସାହିତ୍ୟାନୁରାଗୀ ହରିଶ ଚନ୍ଦ୍ର ପ୍ରଧାନ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ କଟକ ବଡ଼ ଡାକ୍ତରଖାନାକୁ ଯାଇ ଅଙ୍ଗଦାନ ପାଇଁ ସ୍ୱୀକୃତିପତ୍ରରେ ପଞ୍ଜିକରଣ କରି ଫେରିବା ଘଟଣା ଏବେ ନୟାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନଙ୍କ ମତରେ, “ରକ୍ତଦାନ ଜୀବନ ବଞ୍ଚାଏ, ଅଙ୍ଗଦାନ ମୃତ୍ୟୁ ପରେ ମଧ୍ୟ ଜୀବନକୁ ଜାରି ରଖେ। ଆମର ଏହି ଶେଷ ଦାନ କାହାର ନୂଆ ଜୀବନର ଆରମ୍ଭ ହୋଇପାରେ।” ଏହି ମହତ୍‌ ଚିନ୍ତାଧାରା ସମାଜରେ ଅଙ୍ଗଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଭଳି ମାନବୀୟ ଓ ମହତ୍‌ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related posts