ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି

ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ)ଅଧୀନରେ ରାସନ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ସରକାର ସମସ୍ତ ଖାଉଟି କାର୍ଡଧାରୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ ମଧ୍ୟ ଚମ୍ପାଗଡ ପଞ୍ଚାୟତରେ ପିଇଓଙ୍କ ନାମରେ ପରିଚାଳିତ ରାସନ ଯୋଗାଣ କେନ୍ଦ୍ରରେ ସରକାରୀ ନିୟମ ଅନୁଯାୟୀ ବଣ୍ଟନ ହେଉନଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସନ ବଣ୍ଟନ ପରେ ହିତାଧିକାରୀମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଉ ନାହିଁ। ରସିଦ ମାଗିଲେ କାହାକୁ ରସିଦ ଦିଆଯାଉନାହିଁ ବୋଲି କୁହାଯାଉଥିବା ଅଭିଯୋଗ ହୋଇଛି। ଏହାସହ ରାସନ ବଣ୍ଟନ ସମୟରେ ଓଜନ କଣ୍ଟାରେ ୨୦ କେଜି ଓ ୧୦ କେଜିର ବଟଖରା ରଖି ନିର୍ଦ୍ଧାରିତ ପରିମାଣଠାରୁ କମ୍ ରାସନ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଥିପାଇଁ ପିଇଓ ଓ ତାଙ୍କ ସହଯୋଗୀ ପବିତ୍ର ପ୍ରଧାନଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ।

ବର୍ତ୍ତମାନ ସରକାର ସ୍ମାର୍ଟ ପିଡ଼ିଏସ ବ୍ୟବସ୍ଥା ଲାଗୁ କରିଥିଲେ ମଧ୍ୟ ଚମ୍ପାଗଡ ପଞ୍ଚାୟତରେ ଏହାର ସୁଫଳ ସଠିକ୍ ଭାବେ ମିଳୁନଥିବା ବୋଲି ଅଭିଯୋଗ ଉଠିଛି। ସେହିପରି ପବିତ୍ର ପ୍ରଧାନ ଜଣେ ରାଜନୈତିକ ଦଳର ସକ୍ରିୟ କର୍ମୀ ହୋଇଥିବା ସତ୍ତ୍ୱେ ତାଙ୍କୁ କେଉଁ ଆଧାରରେ ରାସନ ବଣ୍ଟନ କାର୍ଯ୍ୟରେ ନିୟୋଜିତ କରାଯାଇଛି, ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ହିତାଧିକାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସ୍ୱଚ୍ଛ ଓ ସଠିକ୍ ଭାବରେ ରାସନ ବଣ୍ଟନ ସୁନିଶ୍ଚିତ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Related posts