ଚାଷୀ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତୁ ସରକାର,
ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରିବାକୁ ଦାଵି

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲା ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ


ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷ ଖରିଫ୍ ଧାନ ପଞ୍ଜିକରଣ ପାଇଁ ବହୁ ବିଳମ୍ବରେ ତାରିଖ ଧାର୍ଯ୍ୟ କରିଛନ୍ତି । ଅଗଷ୍ଟ ୬ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସରକାର ଚଳିତ ବର୍ଷ କରିଥିବା ନିୟମକୁ ନେଇ ଚାଷୀ କୂଳ ହା ହତାଶ ଅବସ୍ଥାରେ ରହିଛନ୍ତି । ସରକାର ଲାଗୁ କରିଥିବା ଏଗ୍ରିଷ୍ଟାକ୍ ବ୍ୟବସ୍ଥା ଓ ଭାଗଚାଷୀଙ୍କ ପାଇଁ କରିଥିବା ନିୟମାବଳୀ ପ୍ରତ୍ୟାହାର ଦାବି କରି ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ । ଏହି ବ୍ୟବସ୍ଥା ଲାଗୁ କରାଯିବା ଦ୍ୱାରା ହଜାର ହଜାର ଚାଷୀ ପଞ୍ଜିକରଣରୁ ବାଦ ପଡ଼ିବା ନିଶ୍ଚିତ ବୋଲି ସଂଘ ଅଭିଯୋଗ କରିଛି । ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ଚଳିତ ବର୍ଷ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ଓ  ନିୟମାବଳୀକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ଅବସ୍ଥାରେ ରହିଛି । ଗୋଟିଏ ଗୋଟିଏ ପ୍ୟାକ୍ସରେ ୫ ଶହରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରି ସୁବିଧାରେ ଧାନ ବିକ୍ରି କରି ଆସୁଥିଲେ ।

ଚଳିତ ବର୍ଷ ନିୟମାବଳୀ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା ପରେ ଚାଷୀ ହତୋତ୍ସାହିତ ହୋଇଛନ୍ତି । ଏଗ୍ରିଷ୍ଟାକ୍ ବ୍ୟବସ୍ଥା, ଭାଗଚାଷୀରେ ଜମି ମାଲିକଙ୍କ ଆଖି ସ୍କାନ ତଥା ଇକେୱାସି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରାଯିବାର ଆବଶ୍ୟକତା ରହିଛି । ନତୁବା ଜିଲ୍ଲାର ୧୦ ପ୍ରତିଶତ ଚାଷୀ ପଞ୍ଜିକରଣ କରି ପାରିବେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ନିୟମ ଅନୁସାରେ, ଭାଗଚାଷୀଙ୍କ ଜମି ମାଲିକ ନିଜେ ପଞ୍ଜିକରଣ ବେଳେ ଉପସ୍ଥିତ ରହି ଆଖି ସ୍କାନ କରିବେ । ଯେଉଁ ମାଲିକ ରାଜ୍ୟ ତଥା ଅନ୍ୟାନ ସ୍ଥାନରେ ନିଜ କର୍ମରେ ବ୍ୟସ୍ତ ରହୁଛନ୍ତି, ସେ କିଭଳି ପଞ୍ଜିକରଣ ସମୟରେ ଉପସ୍ଥିତ ହେବେ? କୈାଣସି ମାଲିକ ନିଜ ରୟତ ପାଇଁ ଏତେ ଖର୍ଚ୍ଚାନ୍ତ ଓ ସମୟ ଦେବା ସମ୍ଭବ ହେବ ନାହିଁ । ଯାହା ଦ୍ୱାରା ଭାଗଚାଷୀ ପଞ୍ଜିକରଣରୁ ବଞ୍ଚିତ ହେବା ସୁନିଶ୍ଚିତ ।

ଅନ୍ୟପକ୍ଷେ, ଯଦି ମାଲିକ ପଞ୍ଜିକରଣରେ ଆଖି ସ୍କାନ ପାଇଁ ଉପସ୍ଥିତ ରହିବେ, ତେବେ ସେ ନିଜ ନାମରେ ନକରି କାହିଁକି ରୟତ ନାଁରେ ପଞ୍ଜିକରଣ କରାଇବ ବୋଲି ସଂଘ ଅଭିଯୋଗ କରିଛି । ମନ୍ଦିର ଓ ମଠ ଜମି, ବିଭିନ୍ନ ଗାଁ କୋଠ ମାଲିକାନାରେ ରହିଥିବା ଜମି, ଟ୍ରଷ୍ଟ ନାଁରେ ରହିଥିବା ଚାଷ ଜମି, ବେସରକାରୀ ଅନୁଷ୍ଠାନ ନାଁରେ ରହିଥିବା ଚାଷ ଜମି ଗୁଡ଼ିକ କିଭଳି ପଞ୍ଜିକରଣ ହେବ । ଏଥିପାଇଁ ଏଗ୍ରିଷ୍ଟାକ୍ ବ୍ୟବସ୍ଥା କରାଯାଇ ପାରିବ ନାହିଁ । ଏଭଳି ମାଲିକାନାରେ ରହିଥିବା ହଜାର ହଜାର ହେକ୍ଟର ଜମି ଫଳରେ ଚଳିତ ବର୍ଷ ପଞ୍ଜିକରଣରେ ବାଦ ପଡ଼ିବ । ଜେଜେବାପା, ଜେଜେମାଆ କିମ୍ବା ଯୁଗ୍ମ ମାଲିକାନାରେ ଥିବା ଜମି ଗୁଡ଼ିକ ଉତ୍ତରାଧିକାରୀମାନେ ପଞ୍ଜିକରଣରୁ ବାଦ ପଡ଼ିବେ । ଏଗୁଡ଼ିକ ଏଗ୍ରିଷ୍ଟାକ୍ ପଞ୍ଜିକରଣ ହୋଇପାରିବ ନାହିଁ । ସେହିଭଳି ଭାବେ ଆଜିକାର ଦିନରେ ବି ଅନେକ କୋଠ ସମ୍ପତ୍ତି ତଥା ଦୁଇ ଚାରି ପରିବାରର ସମ୍ପତ୍ତି ଦୀର୍ଘ ବର୍ଷ ତଳୁ ମୃତ୍ୟୁ ବରଣ କରିଥିବା ପୂର୍ବଜଙ୍କ ନାମରେ ରହିଛି ।

ଏହି ଜମି ଗୁଡ଼ିକ ତାଙ୍କ ତୃତୀୟ ତଥା ଚତୁର୍ଥ ପୀଢ଼ିକୁ ଆସିବା ସମ୍ଭବ ହେଉନାହିଁ । ସମୟ ସାପେକ୍ଷ ଏବଂ ପରିବାର ମଧ୍ୟରେ ମନମାଳିନ ପାଇଁ ତାହା ବଣ୍ଟନ ହୋଇପାରିନି । ଏହି ଜମି ଗୁଡ଼ିକ କେଉଁ ଭଳି ଭାବେ ପଞ୍ଜିକରଣ ହେବ ବୋଲି ସଂଘ ଅଭିଯୋଗ କରିଛି । ଏଗ୍ରିଷ୍ଟାକ୍ ପଞ୍ଜିକରଣ ହେଉଛି, ନିଜ ନାମରେ ରହିଥିବା ଜମି ମାଲିକଙ୍କ ଆଧାର କାର୍ଡ଼ ନାଁ ସହ ମେଳ ହେଉଥିବ । ଅନେକ ଜମିର ମାଲିକ ଏବଂ ତାଙ୍କର ଆଧାର ନାମ ମଧ୍ୟରେ ସାମାନ୍ୟ ତାରତମ୍ୟ ରହିଛି । ଯାହାକୁ ସାଙ୍ଗେ ସାଙ୍ଗେ ସୁଧାରିବା ମଧ୍ୟ କଷ୍ଟକର ବ୍ୟାପାର । ନିଜ ନାମରେ ଜମି ଥାଇ ମଧ୍ୟ ଏଗ୍ରିଷ୍ଟାକ ହୋଇ ପାରିବ ନାହିଁ । ଫଳରେ ତାହା ମଧ୍ୟ ପଞ୍ଜିକରଣରୁ ବାଦ ପଡ଼ିବ । ଏଗ୍ରିଷ୍ଟାକ୍ ପଞ୍ଜିକରଣରେ ଯେଉଁ ବ୍ୟକ୍ତି ଗୋଟିଏ ପ୍ଲଟ ପୂର୍ବରୁ ପଞ୍ଜିକରଣ କରିଛନ୍ତି । ସେମାନେ ଏବେ ନୂଆ ଜମି ତଥା ପ୍ଲଟକୁ ସେଥିରେ ଆଡ୍ ବା ସଂଯୋଗ କରିବାକୁ ଚାହୁଁଥିବା ବେଳେ ତାହା ହୋଇପାରୁନାହିଁ । ଏଗ୍ରିଷ୍ଟାକ୍ ପଞ୍ଜିକରଣ ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ସମସ୍ୟା ରହିଛି ।

ସରକାର ଚଳିତ ବର୍ଷ ଧାନ ପଞ୍ଜିକରଣରେ ସମସ୍ୟା ସୃଷ୍ଟି କରି ଧାନ କିଣା ହ୍ରାସ କରିବା ପାଇଁ ଚାହୁଁଥିବା ସଂଘ ଅଭିଯୋଗ କରିଛି । ପଞ୍ଜିକରଣ ବ୍ୟବସ୍ଥାକୁ ସରଳୀକରଣ କରିବା ପରିବର୍ତ୍ତେ ଏଭଳି ଜଟିଳ କରାଯିବାକୁ ନେଇ ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଂଘ ପ୍ରଶ୍ନ ଉଠାଇଛି ।  ଚଳିତ ବର୍ଷ ଲାଗୁ ହୋଇଥିବା ନିୟମ ଦ୍ୱାରା କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଏବଂ ଭାଗଚାଷୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଚାଷୀ ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଛି । ପୂର୍ବ ଭଳି ସରଳ ବ୍ୟବସ୍ଥାରେ ଚାଷୀ ପଞ୍ଜିକରଣ କରାଯିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରାଯାଇଛି ।

ନତୁବା ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ଜିଲ୍ଲାର ସମସ୍ତ ଚାଷୀଙ୍କୁ ନେଇ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବା ବୋଲି ଚେତାବନୀ ଦେଇଛି । ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ସଭାପତି ପ୍ରତାପ ମହାନ୍ତି, ସମ୍ପାଦକ ଦିଲ୍ଲୀପ କୁମାର ହାତୀ, ଲାଠିପଡ଼ା ପ୍ୟାକ୍ସ ସଭାପତି ସନାତନ ବେହେରା, ମହିପୁର ପ୍ୟାକ୍ସ ସଭାପତି ସୋମନାଥ ସାହୁ ପ୍ରମୂଖ ମେଲ ଯୋଗେ ଅଭିଯୋଗ ଦାଖଲ କରିଛନ୍ତି ।

Related posts