ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନବାଗତ ଆଇନଜୀବୀଙ୍କ ପାଇଁ ଆଲୋଚନାଚକ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନ ପେଷା କେବଳ ଏକ ଜୀବିକା ନୁହେଁ; ଏହା ସାମାଜିକ ବିଶ୍ୱାସ ଓ ସାମ୍ବିଧାନିକ ଦାୟିତ୍ୱ ସହିତ ସତ୍ୟ ଓ ନ୍ୟାୟର ସୁରକ୍ଷା ପାଇଁ ଏକ ବୌଦ୍ଧିକ ସଂଗ୍ରାମ ବୋଲି କହିଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତି ଜଷ୍ଟିସ କୃଷ୍ଣରାମ ମହାପାତ୍ର।
ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ “ନୈତିକତା, ଶ୍ରେଷ୍ଠତା ଏବଂ ବିଶ୍ୱସନୀୟତା ନବାଗତ ଆଇନଜୀବୀଙ୍କ ପାଇଁ ଏକ ମାର୍ଗଦର୍ଶିକା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଜଷ୍ଟିସ ମହାପାତ୍ର ନବାଗତ ଆଇନଜୀବୀମାନଙ୍କୁ ପେଷାଗତ ନୈତିକତା, ଶ୍ରେଷ୍ଠତା ଓ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ସେ କହିଥିଲେ, ଦୈନନ୍ଦିନ ଓକିଲାତିରେ ନୈତିକତାକୁ ଢାଲ, ଶ୍ରେଷ୍ଠତାକୁ ଅଭ୍ୟାସ ଏବଂ ବିଶ୍ୱସନୀୟତାକୁ ସବୁଠାରୁ ବଡ଼ ସମ୍ପତ୍ତି ଭାବେ ଗ୍ରହଣ କରିବା ଆବଶ୍ୟକ। ଆଇନଜୀବୀଙ୍କ ଉପରେ ସମାଜର ଏକ ବଡ଼ ବିଶ୍ୱାସ ରହିଥାଏ ଏବଂ ସେହି ବିଶ୍ୱାସକୁ ସମ୍ମାନ ଦେବା ପ୍ରତ୍ୟେକ ଆଇନଜୀବୀଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।
ଆଲୋଚନାଚକ୍ରରେ ପ୍ରମୁଖ ବକ୍ତା ଭାବେ ନୟାଗଡ଼ ଜିଲ୍ଲାଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ ଯୋଗଦେଇ ପେଷାଗତ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। କୋର୍ଟରୁମ୍ରେ ଆଇନଗତ ତର୍କବିତର୍କ କେବେହେଲେ ବ୍ୟକ୍ତିଗତ ଶତ୍ରୁତାରେ ପରିଣତ ହେବା ଉଚିତ୍ ନୁହେଁ ବୋଲି ସେ କହିଥିଲେ। ବିପକ୍ଷ ଆଇନଜୀବୀ, କୋର୍ଟ କର୍ମଚାରୀ ଓ ମୋକଦ୍ଦମାକାରୀଙ୍କ ସହ ସର୍ବଦା ନମ୍ର ଓ ସମ୍ମାନଜନକ ବ୍ୟବହାର କରିବା ଅପରିହାର୍ଯ୍ୟ ବୋଲି ସେ ମତ ରଖିଥିଲେ।

ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ରଣଜିତ ଦାଶ କହିଥିଲେ ଯେ, କଳା କୋଟ ଓ ଗାଉନ୍ ପିନ୍ଧି କୋର୍ଟରୁମ୍ରେ ପ୍ରବେଶ କରିବା ସହିତ ଆଇନଜୀବୀମାନେ ବରିଷ୍ଠ ଆଇନଜୀବୀଙ୍କ ଏକ ସମୃଦ୍ଧ ପରମ୍ପରାର ଉତ୍ତରାଧିକାରୀ ହୋଇଥାନ୍ତି। ଆଧୁନିକ ଆଇନ ପେଷାରେ ସଫଳତା ପାଇଁ ନବାଗତ ଆଇନଜୀବୀଙ୍କୁ ଦୃଢ଼ ଦିଗଦର୍ଶନର ଆବଶ୍ୟକତା ରହିଛି। ସଫଳ ଆଇନଜୀବୀ ହେବା ସହିତ ଉତ୍ତମ ଚରିତ୍ର ଗଠନ ପାଇଁ ନୈତିକତା, ଶ୍ରେଷ୍ଠତା ଓ ବିଶ୍ୱସନୀୟତା ମୂଳମନ୍ତ୍ର ବୋଲି ସେ କହିଥିଲେ।
ସଂଘର ସମ୍ପାଦକ ଶ୍ରୀ ସ୍ୱଦେଶ ମିଶ୍ର ଜଷ୍ଟିସ ମହାପାତ୍ରଙ୍କ ପରିଚୟ ପ୍ରଦାନ କରିବା ସହ ନବାଗତ ଆଇନଜୀବୀମାନଙ୍କ ସମୟାନୁବର୍ତ୍ତିତା ଓ ଶିଷ୍ଟାଚାର ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ଆଲୋଚନାଚକ୍ରରେ ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜକିଶୋର ପ୍ରଧାନ, ମନୋରଞ୍ଜନ ମହାପାତ୍ର, ମଦନ ମୋହନ ପଣ୍ଡା ଏବଂ ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ଅମିତାଭ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଜଷ୍ଟିସ ମହାପାତ୍ର ନବାଗତ ଆଇନଜୀବୀମାନଙ୍କୁ ବାର୍ ଆଇଡେଣ୍ଟିଟି କାର୍ଡ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କ ସହିତ ଜିଲ୍ଲା ପରିବାର ଅଦାଲତ ଜଜ୍ ଇନ୍ଦୁ ଶର୍ମା, ପୋକସୋ ଜଜ୍ ଜାନକୀ ସାହୁ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ସମେତ ଜିଲ୍ଲାର ସମସ୍ତ ବିଚାରପତି ଯୋଗଦେଇଥିଲେ।
ପରେ ଜଷ୍ଟିସ ମହାପାତ୍ର ଜିଲ୍ଲା କୋର୍ଟ କମ୍ପ୍ଲେକ୍ସର ନୂତନ ପାର୍କିଂ ସ୍ଥାନରେ ବୃକ୍ଷରୋପଣ କରିଥିଲେ।
ସଂଘର ଉପସଭାପତି ଶ୍ରୀ ପ୍ରସନ୍ନ କୁମାର ପଢ଼ିଆରୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀ ବିଭୁଦତ୍ତ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ନିରାକାର ମହଲ, ହରେକୃଷ୍ଣ ପ୍ରଧାନ, ସୁନୀଲ କୁମାର ମହାପାତ୍ର ଏବଂ ଶ୍ରୀମତୀ ମମତା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
