ନୟାଗଡ଼ରେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ

ସାମ୍ବାଦିକଙ୍କ ସମସ୍ୟା, ପେନସନ ଓ ସୁରକ୍ଷା ନେଇ ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଆଠଟି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନରେ ନୟାଗଡ଼ ସହରସ୍ଥିତ ନୀଳମାଧବ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ରଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ଯୋଗଦେଇଥିବା ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶାନ୍ତି ଶେଖର ରଥଙ୍କ ପୌରହିତ୍ୟରେ ଏକ ସାଧାରଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକଙ୍କ ପାଇଁ ବୀମା ଯୋଜନା, ପେନସନ, ସୁରକ୍ଷା, ସ୍ୱୀକୃତି ଏବଂ ସର୍ବୋପରି ସାମ୍ବାଦିକ ଏକତା ସମ୍ପର୍କରେ ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ସାମ୍ବାଦିକମାନଙ୍କୁ ନେଇ ବିଭିନ୍ନ ସଂଘ ଗଠିତ ହୋଇଥିଲେ ମଧ୍ୟ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାରଙ୍କ ଆଶାନୁରୂପ ଦୃଷ୍ଟି ନଥିବା ନେଇ ଅନେକ ସାମ୍ବାଦିକ ଉଦବେଗ ପ୍ରକାଶ କରିଥିଲେ।

ବିଶେଷକରି ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା, ସୁରକ୍ଷା ଓ ସ୍ୱୀକୃତି ପ୍ରଦାନ ନେଇ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏହା ଉପରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ଆଲୋଚନା ହୋଇଥିଲା। ଫଳରେ ସାମ୍ବାଦିକମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି ହୋଇଥିବା ବକ୍ତାମାନେ କହିଥିଲେ।

ସାମ୍ବାଦିକମାନଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟାର ସମାଧାନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ସାମ୍ବାଦିକ ଏକାଠି ହେବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଇଥିଲା। ସାମ୍ବାଦିକଙ୍କ ଦାବିଗୁଡ଼ିକୁ ନେଇ ଏକଜୁଟ ହୋଇ ସରକାରଙ୍କ ନିକଟରେ ଦୃଢ଼ ଭାବେ ଦାବି ଉପସ୍ଥାପନ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସତ୍ୟ ମିଶ୍ର, ସୁଧାକର ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଭଗବାନ ମହାପାତ୍ର, କୁନି ଫାତିମା ବେଗମଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇଥିବା ଜଣାଯାଇଛି। କାର୍ଯ୍ୟକ୍ରମଟି ସାମ୍ବାଦିକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ, ଏକତା ଓ ପେଷାଗତ ସହଯୋଗକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଥିଲା।

Related posts