ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ୨୦୨୬ ମସିହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୫୭୨ ନମ୍ବର ରଖି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାସପୁରର ଛାତ୍ର ସରୋଜ କୁମାର ଜେନା ଜିଲ୍ଲା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବାପ ଛେଉଣ୍ଡ ହୋଇଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିକୁ ଜୟ କରି ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ସରୋଜଙ୍କ ଉଚ୍ଚଶିକ୍ଷା ପାଇଁ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା ସହଯୋଗର ହାତ ବଢ଼ାଇଛନ୍ତି। ଏହାର ଫଳସ୍ୱରୂପ ସେ ଭୁବନେଶ୍ୱରର ଶିଶୁପାଳଗଡ଼ସ୍ଥିତ ନବଜ୍ୟୋତି ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନରେ ନାମ ଲେଖାଇଛନ୍ତି। ସଂସ୍ଥାର ଚେୟାରମ୍ୟାନ ଶାନ୍ତନୁ କୁମାର ମହାପାତ୍ର ମଧ୍ୟ ସରୋଜଙ୍କ ଶିକ୍ଷା ଯାତ୍ରାରେ ସମ୍ଭବପର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହେବା ସରୋଜଙ୍କ ଲକ୍ଷ୍ୟ। ନିଜର କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି, ନିଷ୍ଠା ଏବଂ ଯଶୋଦା ମା ଫାଉଣ୍ଡେସନ ସହ ନବଜ୍ୟୋତି ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନର ସହଯୋଗରେ ସେ ନିଜ ସ୍ୱପ୍ନକୁ ନିଶ୍ଚିତ ଭାବେ ସାକାର କରିପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ଏହି ସଫଳତା ଏବଂ ସହଯୋଗ ପାଇଁ ସରୋଜ ଓ ତାଙ୍କ ପରିବାର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା ଏବଂ ନବଜ୍ୟୋତି ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନର ଚେୟାରମ୍ୟାନ ଶାନ୍ତନୁ କୁମାର ମହାପାତ୍ରଙ୍କ ପ୍ରତି ମଧ୍ୟ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ସରୋଜଙ୍କ ଏହି ସଫଳତା ଏବଂ ତାଙ୍କ ଆଇଆଇଟି ଇଞ୍ଜିନିୟର ହେବାର ସ୍ୱପ୍ନ ନିଶ୍ଚିତ ଭାବେ ନୟାଗଡ଼ ଜିଲ୍ଲାର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ।
ନୟାଗଡ଼ର ଜିଲ୍ଲା ମାଟ୍ରିକ ଟପ୍ପରଙ୍କ ଆଇଆଇଟି ସ୍ୱପ୍ନ ହେବ ପୂରଣ, ସହଯୋଗର ହାତ ବଢ଼େଇଲେ ଯଶୋଦା ମା ଫାଉଣ୍ଡେସନ
