ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦାନ ଓ ଭେଟି ଅର୍ଥର କଥିତ ଦୁର୍ବ୍ୟବହାର ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର, ଟ୍ରଷ୍ଟର କେତେକ ଶୀର୍ଷ କର୍ମକର୍ତ୍ତାଙ୍କ ଇସ୍ତଫା ଏବଂ ଚାଲୁଥିବା ତଦନ୍ତକୁ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି ଯେ, ଭଗବାନ ଶ୍ରୀରାମ କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ନୈତିକ ଚେତନାର ପ୍ରତୀକ। ତାଙ୍କ ନାମରେ ସଂଗୃହୀତ ଦାନ ଓ ଭେଟିକୁ ନେଇ ଉଠିଥିବା ପ୍ରଶ୍ନର ସ୍ୱଚ୍ଛ, ନିରପେକ୍ଷ ଏବଂ ବିଶ୍ୱସନୀୟ ତଦନ୍ତ କରାଯିବା ଆବଶ୍ୟକ। ଦେଶର ପ୍ରତ୍ୟେକ ନାଗରିକଙ୍କର ଏହି ଘଟଣାର ସତ୍ୟାସତ୍ୟ ଜାଣିବାର ଅଧିକାର ରହିଛି ବୋଲି ସେ କହିଛନ୍ତି।
ଡିସିସି ପକ୍ଷରୁ ଦାବି କରାଯାଇଛି ଯେ, ସମଗ୍ର ଘଟଣାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସ୍ୱାଧୀନ ନ୍ୟାୟିକ ତଦନ୍ତ କରାଯାଉ। ସେହିପରି ଟ୍ରଷ୍ଟର ସମସ୍ତ ଦାନ ଓ ବ୍ୟୟର ଫୋରେନସିକ୍ ଅଡିଟ୍ କରି ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଦଳ, ପଦ କିମ୍ବା ପ୍ରଭାବକୁ ବିଚାର ନ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ପ୍ରେସ ବାର୍ତ୍ତାରେ ଆହୁରି କୁହାଯାଇଛି ଯେ, ଆସ୍ଥାର ନାମରେ ସଂଗ୍ରହ ହୋଇଥିବା ଜନସାଧାରଣଙ୍କ ଅର୍ଥର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ନୈତିକ ଓ ସାମ୍ବିଧାନିକ ଦାୟିତ୍ୱ।
ଡିସିସି ସଭାପତି ରଣଜିତ ଦାଶ ଆହୁରି ଅଭିଯୋଗ କରିଛନ୍ତି ଯେ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗଠନ ଓ ପରିଚାଳନାରେ କେନ୍ଦ୍ର ସରକାରଙ୍କ ଭୂମିକା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ନୈତିକ ଓ ରାଜନୈତିକ ଭାବେ ଉତ୍ତରଦାୟୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ଦେବା ସହ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତକୁ ସୁନିଶ୍ଚିତ କରିବା ଉଚିତ।
ଏହି ସାମ୍ବାଦିକ ସମ୍ମିଳନୀରେ ଡିସିସିର ବରିଷ୍ଠ ଉପସଭାପତି ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ମନରେଗା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାନ୍ତ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଓ ଡିସିସି ସୋସିଆଲ ମିଡିଆ ସଂଯୋଜକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ରାମ ମନ୍ଦିର ଟ୍ରଷ୍ଟରେ ଦାନ ଅର୍ଥର ଦୁର୍ବ୍ୟବହାର ଅଭିଯୋଗ: ସ୍ୱାଧୀନ ନ୍ୟାୟିକ ତଦନ୍ତ ଦାବି କଲା ନୟାଗଡ଼ ଡିସିସି
