ସାହିତ୍ୟ ଏକାଡେମୀର ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ, ରାଜ୍ୟସ୍ତରକୁ ଯିବେ କୃତୀ ପ୍ରତିଯୋଗୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ–୨୦୨୬ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ସୋମବାର ପିଏମ୍‌ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷାଧିକାରୀଙ୍କ ଆୟୋଜନ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଆ ସାଧାରଣ ଜ୍ଞାନ, ତର୍କ, ସଙ୍ଗୀତ, ପ୍ରବନ୍ଧ ରଚନା ଆଦି ବିଭାଗରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଡ଼. ସୁକାନ୍ତି ମହାନ୍ତି, ରବୀନ୍ଦ୍ର ଦାସ, ଗୋପୀନାଥ ସେଠୀ, ଅଧ୍ୟାପିକା ନିଳୀମା ନନ୍ଦ, ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାପାତ୍ର ଓ ଦେବେନ୍ଦ୍ର ପରମଗୁରୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ପରେ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଓ କବି ନିର୍ମଳଚନ୍ଦ୍ର ସୁରଦେଓ ପ୍ରମୁଖ ସୁଚାରୁ ଭାବେ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ଓ ସୃଜନଶୀଳତା ବୃଦ୍ଧି ପାଇଥିବା ମତ ପ୍ରକାଶ ପାଇଛି।

Related posts