ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ

ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ, ଝିଅ ଦେଲା ମୁଖାଗ୍ନି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଥିଲା । ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ପରେ ପରିବାର ସମ୍ମତିକ୍ରମେ ତାଙ୍କ ଚକ୍ଷୁଦାନ କରାଯାଇଛି । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ନୟାଗଡ଼ ବ୍ଲକ ପରିସରକୁ ଅଣାଯାଇଥିଲା । ସିଡିପିଓ କାର୍ଯ୍ୟାଳୟଠାରେ ବହୁ ଅଙ୍ଗନବାଡ଼ି କର୍ମୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ରିଦାଶପୁର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ସହ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ବହୁ ଲୋକଙ୍କ ସହ ଶବ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ଏକ ମାତ୍ର ଝିଅ ଅଳକା ପଣ୍ଡା ମୁଖାଗ୍ନି ଦେଇଥିଲେ । ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଜ୍ୟୋତ୍ସାମୟୀ ନୟାଗଡ଼ର ପ୍ରମୂଖ କୃଷକ ନେତା ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତ୍ସାମୟୀ ନୟାଗଡ଼ ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ସୋମବାର ସେ କ୍ରିଦାଶପୁର ସ୍ଥିତି ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ବସି ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । ଗାଁ ନିକଟରେ ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା । ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ ।

Related posts