ଇତଲାକାରୀଙ୍କ ଦସ୍ତଖତ ସ୍ପେସିମେନ ସହ ଯାଞ୍ଚ ପାଇଁ ହାଣ୍ଡରାଇଟିଙ୍ଗ ଏକ୍ସପର୍ଟଙ୍କୁ ପଠାଇବାକୁ କଂଗ୍ରେସର ଦାବି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜଣେ ପ୍ରମୁଖ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦଙ୍କ ନାମରେ ଲେଟରପ୍ୟାଡ଼, ସିଲ୍ ଏବଂ ଦସ୍ତଖତ ଜାଲି କରାଯାଇ ନୟାଗଡ଼ ଅତିରିକ୍ତ ଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବଦଳି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଯାଇଥିବା କଥିତ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏହି ଘଟଣାରେ ପୂର୍ବତନ ସାଂସଦ ନିଜେ ନୟାଗଡ଼ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ସମଗ୍ର ମାମଲାର ଉଚ୍ଚସ୍ତରୀୟ ପୋଲିସ ତଦନ୍ତ ଆବଶ୍ୟକ ବୋଲି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି।

ଶ୍ରୀ ଦାଶଙ୍କ କହିବାନୁସାରେ, ଯଦି ପୂର୍ବତନ ସାଂସଦଙ୍କ ଦସ୍ତଖତ ଜାଲି ହୋଇଥିବା ଅଭିଯୋଗ ସତ୍ୟ ହୁଏ, ତେବେ ଏହାର ବୈଜ୍ଞାନିକ ଯାଞ୍ଚ ଅତ୍ୟାବଶ୍ୟକ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ କଥିତ ଚିଠିରେ ଥିବା ଦସ୍ତଖତ, ଥାନାରେ ଦାଖଲ ହୋଇଥିବା ଅଭିଯୋଗପତ୍ରର ଦସ୍ତଖତ ଏବଂ ଆଇନ ଅନୁଯାୟୀ ସଂଗୃହୀତ ସ୍ପେସିମେନ ଦସ୍ତଖତକୁ ମାନ୍ୟବର ଏସଡିଜେଏମଙ୍କ ଅନୁମତିକ୍ରମେ ରାଜ୍ୟ ପୋଲିସ ହାଣ୍ଡରାଇଟିଙ୍ଗ ଏକ୍ସପର୍ଟ ପରୀକ୍ଷାଗାରକୁ ପଠାଇ ଯାଞ୍ଚ କରାଯିବା ଉଚିତ।

ଏନେଇ ନୟାଗଡ଼ ଏସପିଙ୍କୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡ଼ିଛି। ମାମଲାର ସଠିକ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଛନ୍ତି।

କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି ଯେ, କୋର୍ଟଙ୍କ ଅନୁମତି ନେଇ ଇତଲାକାରୀଙ୍କ ସ୍ପେସିମେନ ଦସ୍ତଖତକୁ ରାଜ୍ୟ ପୋଲିସ ହାଣ୍ଡରାଇଟିଙ୍ଗ ଏକ୍ସପର୍ଟ ସଂସ୍ଥାକୁ ତୁରନ୍ତ ପଠାଯାଇ ବୈଜ୍ଞାନିକ ଯାଞ୍ଚ କରାଗଲେ ସମଗ୍ର ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହୋଇପାରିବ।

Related posts