ରାଜସୁନାଖଳା,(ନୟାଗଡ଼ ଦର୍ପଣ):-ବିଗତ ଦିନରେ ଯୋଗର ବହୁ ଜଟିଳ ମୁଦ୍ରାକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରି ରାଜସୁନାଖଳାର ୩ବର୍ଷିଆ ବିସ୍ମୟ ବାଳିକା ପ୍ରିୟଦର୍ଶିନୀ ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନପାଇ ସାମାଜିକ ଗଣମାଧ୍ୟମରେ ସ୍ପ୍ରିଙ୍ଗ ଗାର୍ଲ ଭାବରେ ପରିଚିତ ହୋଇ ସାରିଥିବାବେଳେ ଏବେ ତିନି ଇଞ୍ଚର ତିନୋଟି ରଥ ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ ହୋଇଛନ୍ତି କୁନି ବଳରାମ ଭାବେ ପରିଚିତ ପ୍ରଭୁ ଜଗନ୍ନାଥଙ୍କ କୁନିଭକ୍ତ ଶୁଭ୍ରାଂଶୁ ନାୟକ। ତେବେ ଉଭୟେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାର ହୋଇଥିବାବେଳେ ଉଭୟଙ୍କ ଏହି ବିରଳ କୃତିତ୍ୱ ପାଇଁ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ସାଉଁଟିଛନ୍ତି।
ତେବେ କରୋନା ମହାମାରୀ ପାଇଁ ପୁରୀ ବ୍ୟତୀତ ରାଜ୍ୟର ସବୁସ୍ଥାନରେ ରଥଯାତ୍ରା ବନ୍ଦ ହୋଇଥିବାରୁ ଶୁଭ୍ରାଂଶୁ ନିଜ ପୂଜା ଘରେ ରଥଯାତ୍ରା ପାଳିବା ପାଇଁ ଏହି ପଦକ୍ଷେପ ନେଇ ଠାକୁରଙ୍କ ତିନୋଟି କୁନି ରଥ ନିର୍ମାଣ କରିଥିଲେ।ଏହି ତିନୋଟି ଯାକ ରଥର ଉଚ୍ଚତା ତିନି ଇଞ୍ଚରୁ କମ ହୋଇଥିବାବେଳେ ଦେଖିବାକୁ ଅବିକଳ ବଡ଼ ଠାକୁରଙ୍କ ରଥପରି।ତେବେ ଶୁଭ୍ରାଂଶୁ ଏକମାସ କଠିନ ପରିଶ୍ରମ କରି ଏହି ତିନୋଟି ରଥ ନିର୍ମାଣ କରିଥିଲେ। ଏହି ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ କର୍ତ୍ତୃପକ୍ଷ ତାଙ୍କୁ ଉକ୍ତ ସମ୍ମାନ ପାଇବାପାଇଁ ମନୋନୀତ କରିଛନ୍ତି।
ଏହି ଖବର ପ୍ରକାଶିତ ହେବାପରେ ଶୁଭ୍ରାଂଶୁ ଖୁସିବ୍ୟକ୍ତ କରିବାସହ ଏହା ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଶୁଭ୍ରାଂଶୁ ବିଗତ ଦିନରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ସହିତ ଠାକୁର ମାନଙ୍କର ବହୁ ନୀତିକାନ୍ତିକୁ ନିଷ୍ଠାପର ଭାବେ ପାଳନ କରି ସମଗ୍ର ରାଜ୍ୟରେ ବେଶ ଚର୍ଚ୍ଚିତ ହୋଇଥିଲେ। ଅପର ପକ୍ଷରେ ଲଗାତାର ଭାବେ ରାଜସୁନାଖଳା ଦୁଇଦୁଇ ଜଣ ଉପରୋକ୍ତ ପୁରସ୍କାର ପାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଢେର ସାରା ପ୍ରଶଂସାର ସୁଅ ଛୁଟିଛି।
ପ୍ରଦୀପ କୁମାର ରଣା
ଆ/ପ୍ର/ ରାଜସୁନାଖଳା
ମୋ-୯୯୩୮୬୮୮୪୩୨