ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜାନୁୟାରୀ ୩୦ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଦଶପଲ୍ଲା ବ୍ଲକ ମଧଖଣ୍ଡର ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ସେଦିନ ମଧ୍ୟଖଣ୍ଡରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଗାନ୍ଧୀ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରମାନେ ଖଦଡ଼ ପରିଧାନ କରି ଗାନ୍ଧୀ ବେଶରେ ସଜାଇ ହୋଇ ଚଷମା ପିଁନ୍ଧି ହାତରେ ବାଡିଧରି ଚାଲିବା ସହ ପୂଜ୍ୟପୂଜା ସମିତିର ସଭ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରି ଗ୍ରାମ ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ସମବେତ ହୋଇଥିଲେ।
ସନ୍ଧ୍ୟାରେ କଲ୍ୟାଣ ମଣ୍ଡପ ସଭଗୃହରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପରେ ସୁଶ୍ରୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ଓ ସାଥୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଓ ଘୋଳାହାଣ୍ଡି ହାଇସ୍କୁଲର ଛାତ୍ର ଅନିଲ ବାରିକ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ।

ସଭାପତି ପ୍ରାରମ୍ଭିକ ସୂଚନା ଦେବାବେଳେ ଗାନ୍ଧିଜୀଙ୍କ ବିଚାରଧାରା ଓ କିଭଳି ତାଙ୍କ ବିଚାରଧାରାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ତାଙ୍କୁ ହତ୍ୟା କରାଗଲା ଏବଂ ଆଜି ସେଇ ଗାନ୍ଧୀ ହତ୍ୟାକାରୀଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀବାଦ ଉପରେ ଆକ୍ରମଣ ଚାଲିବା କହିବା ସହିତ ଗାନ୍ଧୀ ବିଚାର ଉପରେ ଆଲୋଚନାର ପ୍ରାସଙ୍ଗିକତା ବଢ଼ିଯାଇଛି ବୋଲି କହିଥିଲେ। ଏହାସହିତ ଗାନ୍ଧିଜୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ମଧ୍ୟଖଣ୍ଡର ସ୍ଵାଧିନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଗାନ୍ଧିଜୀଙ୍କ ମହାନ୍ ଆଦର୍ଶ ଓ ତାଙ୍କର ଆହ୍ବାନକୁ ଆମ ଦେଶବାସୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥି ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ ଗାନ୍ଧିଜୀଙ୍କ ଗୁଣାବଳି ଆଲୋଚନା କରିବା ସହିତ ସେବା ଓ ସତ କହିବା ଉପରେ ଗୁରୁତ୍ଵ ଦେଇଥିଲେ। ସଭାର ମୁଖ୍ୟଅତିଥି ବି ଏସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଗାନ୍ଧିଜୀଙ୍କ ସାମ୍ପ୍ରଦାୟିକ ସମ୍ପ୍ରିତ୍, ନିଶା ନିବାରଣ ଓ ଅସ୍ପୃଶ୍ୟତା ପ୍ରଭୃତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶେଷରେ ଆଇନଜୀବି ବେଣୁଧର ନାୟକ ଧନ୍ୟବାଦ୍ ଦେଇଥିଲେ। ଏହି ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ତଥା ମଧ୍ୟଖଣ୍ଡ ଘୋଳାହାଣ୍ଡି ଓ ଡିହଗାଁ ହାଇସ୍କୁଲର ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକୁ ଅନୁଷ୍ଠାନର ଅଗ୍ରଣୀ ସଦସ୍ୟ ସରୋଜ କୁମାର ପଣ୍ଡା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ଆଦିତ୍ୟ କୁମାର ଦାସ, ଦୟାନିଧି ସାହୁ ପ୍ରସନ୍ନ ମହାରଣା ଓ ଦାଶରଥି ସାହୁ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିବା ସହ ଓ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ।
