ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାର ଯେଭଳି ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ କରି ଶ୍ରମିକ ଶ୍ରେଣୀର ଅର୍ଜିତ ଅଧିକାରକୁ ଅପହରଣ କରିଛନ୍ତି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ଣ୍ଣଛେଦ ପକାଇ ଶ୍ରମିକ ଶ୍ରେଣୀର ତଣ୍ଟିରେ କ୍ଷୁର ଚଳାଇଛନ୍ତି। ସ୍ଥାୟୀ ନିଯୁକ୍ତି ବଦଳରେ ଠିକାନିଯୁକ୍ତିକୁ ପ୍ରୋତ୍ସାହନ ଦେଇ ସର୍ବନିମ୍ନ ମଜୁରୀ ଆଇନକୁ ଉଲଂଘନ କରୁଛନ୍ତି। ସ୍କିମ ଶ୍ରମିକ ଆଶା, ପାଚିକା, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସାମାନ୍ୟ ପାରିତୋଷିକ ଦେଇ ଠକି ଚାଲିଛନ୍ତି। କୃଷକମାନଙ୍କ ଫସଲ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି। ବିଦ୍ୟୁତର ଘରୋଇକରଣ କରି ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି।
ଏହାର ପ୍ରତିବାଦରେ ହେବାକୁ ଥିବା ଫେବୃଆରୀ ୧୨ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ତା୦୧.୦୨.୨୦୨୬ ଦିନ ନୟାଗଡ଼ ଆର୍ ସି ଏମ୍ ଏସ୍ ସଭାକକ୍ଷରେ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗଣ କନଭେନସନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ ନୀତିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଧର୍ମଘଟର ବାର୍ତ୍ତା ପ୍ରତି ପଞ୍ଚାୟତରେ, ବ୍ଳକ ସ୍ତରରେ ପ୍ରଚାର କରି ସାଧାରଣ ଧର୍ମଘଟକୁ ବନ୍ଦ ଆନ୍ଦୋଳନରେ ରୂପାନ୍ତରିତ କରିବାପାଇଁ ଆହ୍ୱାନ ଦେଇଥିଲେ।

ସିଟୁ ନେତା ସୁରେଶ ଚନ୍ଦ୍ର ସ୍ଵାଇଁ ଆନ୍ଦୋଳନର ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ଆଇଏନଟିୟୁସି ନେତା ରଣଜିତ ଦାଶ, ସିଆଇଟିୟୁର ନେତା ଶରତଚନ୍ଦ୍ର ବେହେରା, ପାଚିକା ନେତ୍ରୀ ଜୟନ୍ତୀ ଦାଶ, ଆଶା ନେତ୍ରୀ ମଙ୍ଗୁଳି ରାଉତ, ସଭାପତି ଚାପଧାରୀ ରାଉତ, ନିର୍ମାଣ ଶ୍ରମିକ ନେତା ସବ୍ୟସାଚୀ ସେନାପତି, ମିଳିତ ଫେଡେରେସନ ନେତା ବାସୁଦେବ ମହାନ୍ତି, ଗୋପିନାଥ ଜେନା, କୃଷକ ସଭା ନେତା ପବିତ୍ର ଇନ୍ଦ୍ରଜିତ ପ୍ରମୁଖ ଆନ୍ଦୋଳନ ସଫଳ କରିବାକୁ ମତାମତ ଉପସ୍ଥାପନ କରିଥିଲେ। ଆଠଟି ଯାକ ବ୍ଳକରେ ଅନୁରୂପ ସଭା, ବିଭିନ୍ନ ଅଞ୍ଚଳରେ ପଥସଭା ଅନୁଷ୍ଠିତ କରି ୧୨ ତାରିଖ ଧର୍ମଘଟକୁ ସଫଳ କରିବାକୁ ସିଆଇଟିୟୁର ଜିଲ୍ଲା ଆବାହକ ଶରତଚନ୍ଦ୍ର ବେହେରା ଆହ୍ଵାନ ଦେଇଥିଲେ।
