ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା, କୋଣାର୍କ–ପୁରୀ ଦର୍ଶନରେ ଆନନ୍ଦ ଓ ଆତ୍ମିକ ସନ୍ତୋଷ ଲାଭ କଲେ ୨୨ ଜଣ ବୃଦ୍ଧ-ବୃଦ୍ଧା

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଝାଡପଡ଼ା ସ୍ଥିତ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ଆୟୋଜନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ୨୨ ଜଣ ବୃଦ୍ଧ-ବୃଦ୍ଧା ଏକ ସଫଳ ଓ ସ୍ମରଣୀୟ ତୀର୍ଥ ଯାତ୍ରାରେ ସାମିଲ ହୋଇଥିଲେ। ଏହି ତୀର୍ଥ ଯାତ୍ରାରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ, ଟାଙ୍ଗୀର ବରିଷ୍ଠ ସଦସ୍ୟ ଘନଶ୍ୟାମ ମହାନ୍ତି ମହୋଦୟଙ୍କ ସହଯୋଗ ଓ ନେତୃତ୍ୱ ଥିଲା। ତୀର୍ଥ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ବୃଦ୍ଧ-ବୃଦ୍ଧା ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର  ଦର୍ଶନ କରି ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସାଂସ୍କୃତିକ ମହତ୍ତ୍ୱକୁ ନିକଟରୁ ଅନୁଭବ କରିଥିଲେ। ପରେ ସେମାନେ ଶ୍ରୀକ୍ଷେତ୍ର ପୁରୀ ଗମନ କରି ଶ୍ରୀମନ୍ଦିର ପରିକ୍ରମା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଦର୍ଶନର ସୁଯୋଗ ପାଇ ଆତ୍ମିକ ଶାନ୍ତି ଓ ପୁଣ୍ୟ ଲାଭ କରିଥିଲେ। ଏହି ଯାତ୍ରା ସମୟରେ ବୃଦ୍ଧ–ବୃଦ୍ଧାମାନଙ୍କ ସୁବିଧା, ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତେ ଏହି ପୁଣ୍ୟମୟ ଯାତ୍ରାକୁ ଜୀବନର ଏକ ସ୍ମରଣୀୟ ଅନୁଭବ ଭାବେ ମନେ କରି ଆୟୋଜକମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ, ଝାଡପଡ଼ା ପକ୍ଷରୁ ଏପରି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ସୂଚନା ମିଳିଛି।

Related posts