ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଆଜି ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ”ସାମ୍ବାଦିକ ଗୌରବ” ସମ୍ମାନ ମିଳିଛି। ଆଜି କଟକର ସାରସ୍ବତପୀଠ ଶ୍ରୀରାମ ଚନ୍ଦ୍ର ଭବନରେ “ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା “ସମାଜ”ର ପୂର୍ଵତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ ପୌରାହିତ୍ୟ କରିଥିଲେ। ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ସାମ୍ବାଦିକ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମୁରଲୀଧର ସାମଲ, ଯୁଗ୍ମ-ସମ୍ପାଦକ ଅରବିନ୍ଦ ରାଉତରାୟ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସାମ୍ବାଦିକତା କ୍ଷେତ୍ରରେ ରହିଥିବା ଦକ୍ଷତା, ନିର୍ଭିକତା, ସଚୋଟତା ଓ ସମ୍ବେଦନଶୀଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ଶ୍ରୀ ପଟ୍ଟନାୟକଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଖଇରଗାଡ଼ିଆ ଗ୍ରାମର ଆଦର୍ଶ ଶିକ୍ଷକ ସ୍ବର୍ଗତ କିଶୋର ଚନ୍ଦ୍ର ପଟ୍ଟନାୟକ ଓ ମାତା ସ୍ବର୍ଗତା ଲକ୍ଷ୍ମୀପ୍ରିୟା ପଟ୍ଟନାୟକଙ୍କ ତୃତୀୟ ପୁତ୍ର ଭାବେ ରବୀନ୍ଦ୍ର ୧୯୫୮ ଏପ୍ରିଲ ୨ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଖଇରଗାଡ଼ିଆ ବିଦ୍ୟାଳୟରୁ ପ୍ରଥମରୁ ତୃତୀୟ, ଭାପୁର ବିଦ୍ୟାଳୟରୁ ତୃତୀୟରୁ ସପ୍ତମ ଶ୍ରେଣୀ, ଗୋଳାପୋଖରୀ ହାଇସ୍କୁଲରୁ ମାଟ୍ରିକ, ପରେ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟରୁ ଆଇଏ ଏବଂ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ବିଦ୍ୟାଭବନରୁ ସାମ୍ବାଦିକତାରେ ଡିପ୍ଲୋମା ପାସ କରିଥିଲେ। ଏହାପରେ ସେ “ପ୍ରଗତିବାଦୀ” ଖବରକାଗଜରେ ସହସମ୍ପାଦକ ଓ ଇଂଗ୍ରାଜୀ ଖବରକାଗଜ “ଏମପି କ୍ରନିକାଲର” ଭୁବନେଶ୍ବର ପ୍ରତିନିଧି ଭାବେ କାର୍ଯ୍ୟ କରି ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ।

ପରେ ମାଟିର ମହକ ତାଙ୍କୁ ଜନ୍ମମାଟିକୁ ଟାଣି ଆଣିଲା। ଦୀର୍ଘ ୪୬ବର୍ଷ ଧରି ସାମ୍ବାଦିକ ଭାବେ “ସମାଜ”ର ଜିଲ୍ଲା ପ୍ରତିନିଧି ଓ “ଆକାଶବାଣୀ” ଏବଂ “ଦୂରଦର୍ଶନ”ର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରି ସ୍ବତନ୍ତ୍ର ସମ୍ମାନର ଅଧିକାରୀ ହୋଇଛନ୍ତି। ଜଣେ ଦକ୍ଷ, ନିରପେକ୍ଷ, ନିର୍ଭିକ ତଥା ସଚୋଟ ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଛନ୍ତି। ପୂର୍ବରୁ ସେ ଦୁଇଥର “ସମାଜ” ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି। ୨୦୦୦ ମସିହାରେ “ସମାଜ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ସର୍ବଶ୍ରେଷ୍ଠ ସାମ୍ବାଦିକ ଭାବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ସେହିପରି, ଜୀବନବ୍ୟାପୀ ସାଧନା ପାଇଁ ୨୦୨୪ମସିହାରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଦ୍ୱାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ସେହିଭଳି, ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀପଟ୍ଟନାୟକଙ୍କୁ ମଧ୍ୟ ବହୁବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି।
