ଲୋକ ନୋଡ଼ାଲ ବିଦ୍ୟାପୀଠରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷକତାରେ ବିଦାୟ ନ ଥାଏ। ପ୍ରବୃତ୍ତିଗତ ଶିକ୍ଷକତା ଏକ ଆଜୀବନ ସାଧନା। ସେଥିରେ ଅବସର ଗ୍ରହଣ ଏକ ସାଧାରଣ ପ୍ରକ୍ରିୟା। ହେଲେ ଅବସର କାଳିନ ବିଦାୟ ଉତ୍ସବର ଭାବମୟ ପରିବେଶ ବିଦାୟୀ ଶିକ୍ଷକଙ୍କର ଉକ୍ତ ଶିକ୍ଷାୟତନ ତଥା ତାହାର ବାହ୍ୟ ସାମାଜିକ ପରିବେଶରେ ଥିବା ପ୍ରଭାବର ଆକଳନ କରିବାର ଏକ ମାପଦଣ୍ଡ ପାଲଟି ଯାଏ ବୋଲି ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁରର ଲୋକ ନୋଡ଼ାଲ ବିଦ୍ୟାପୀଠର ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କର ଅବସର ଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆଜି ସ୍କୁଲ ପରିସର ମଧ୍ୟରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ଼ ବିଦାୟୀ ଶିକ୍ଷକଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ସ୍ନେହ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ତାଙ୍କର ମହନୀୟ କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠନାଥ ପ୍ରଧାନ, ଶିକ୍ଷା ସେତୁ କମିଟିର ସଭାପତି ସନ୍ତୋଷ କୁମାର ପାଳ, ସଦସ୍ୟ ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କର ଗୁଣଗାନ କରି କହିଥିଲେ ଯେ ତାଙ୍କ ପରି ଜଣେ ସରଳ, ସହନଶୀଳ, ଛାତ୍ରବତ୍ସଳ, ବନ୍ଧୁସ୍ନେହୀ, ଗୁଣଗ୍ରାହୀ ଶିକ୍ଷକ ବାସ୍ତବରେ ବିରଳ। କୁନି କୁନି ଛାତ୍ରଛାତ୍ରୀମାନେ ତାଙ୍କର କୁନି କୁନି ଭାଷାରେ ସେମାନଙ୍କର ପ୍ରିୟ ଶିକ୍ଷକଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରକଟ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ପାତ୍ର, ବାପିନା ବେହେରା, ମନୋରଂଜନ ରାଉତ, ରମେଶ ପ୍ରଧାନ, ଶୁଭେନ୍ଦୁ କୁମାର ପରିଡ଼ା, ଅଶୋକ କୁମାର ମହାପାତ୍ର, ଶିକ୍ଷୟିତ୍ରୀ ଆରାଧନା ଗୌଡ଼, ସୋନାଲିନ ନାୟକ, ଗଙ୍ଗୋତ୍ରୀ ପ୍ରଧାନ, ମାଳତୀ ଦେଇ, ମାଳତୀ ବେହେରା, ଶିକ୍ଷକ ସ୍ମୃତି ରଞ୍ଜନ ରାଉତ, ଅଫିସ ସହାୟକ ଭବାନୀ ବାଘ ଓ ଟୁନି ପ୍ରଧାନ ଆଦି ବିଦାୟୀ ଶିକ୍ଷକଙ୍କ ସ୍ଥାନ ସର୍ବଦା ବିଦ୍ୟାଳୟ ପାଇଁ ଅପୂରଣୀୟ ରହିବ ବୋଲି କହିଥିଲେ। ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ତରଫରୁ ମାନପତ୍ର, ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ, ସାଲ ଓ ମେମୋଣ୍ଟୋ ଆଦି ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ଡ. ବରାଡ଼ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Related posts