ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦୀର୍ଘ ସମୟ ପରେ ହଟିଲା ଜାତୀୟ ରାଜପଥ ଅବରୋଧ। ଜିଲ୍ଲାପାଳ ନ ଆସିଲେ ଉଠିବୁ ନାହିଁ ବୋଲି ଅଡ଼ିବସିଥିଲେ ଲୋକେ। ସୂଚନାଥାଉକି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତର ରଥିପୁର, ଗୋପାଳପୁର, ଟାକରା ମୌଜାର ଜନସାଧାରଣ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଉପରେ ସ୍ଥାନୀୟ ଗୋପାଳପୁର ମୌଜା ଠାରେ ଏକ ଗଳାରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଦାବୀ କରି ଆସୁଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରି ଆଜି ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରି ବସିଥିଲେ । କାରଣ ରେଳଧାରଣାର ଅପରପାର୍ଶ୍ଵରେ ବୃତଙ୍ଗ ନଦୀ, ୩ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଉଥିବା ପମ୍ପ ହାଉସ, ଗ୍ରାମ ଶ୍ମଶାନ, ଗାଈଗୋରୁ ଚରୁଥିବା ସ୍ଥାନ ରହିଥିଲା। ରେଳଧାରଣା ନିର୍ମାଣ ହେବା ପୂର୍ବରୁ ଏସବୁ ଅଭିଯୋଗ କରି ଆସୁଥିଲେ ହେଁ ଏଯାବତ୍ ଅଭିଯୋଗର କାର୍ଯ୍ୟକାରୀ ନ ହେବା ସହ ପମ୍ପହାଉସର କିଛି ଯନ୍ତ୍ରାଂଶ ଖରାପ ହୋଇଯିବାରୁ ୪ଦିନ ହେବ ପାଣି ପାଇବାରୁ ବଞ୍ଚିତ ହୋଇଥିଲେ ସ୍ଥାନୀୟ ଲୋକେ। ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପରେ ବର୍ଷିବା ସହିତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଦଶପଲ୍ଲା ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ପହଞ୍ଚି ବୁଝାସୁଝା କରିଥିବାବେଳେ ଅବରୋଧ ହଟିନଥିଲା । ସମସ୍ୟାର ସମାଧାନ ପାଈଁ ଲିଖିତ ପ୍ରତିଶ୍ରୁତି ଦେବାସହ ଜିଲ୍ଲାପାଳ ଏଠାକୁ ଆସନ୍ତୁ ଏବଂ ଅଭିଯୋଗର ୧ ବର୍ଷ ପରେ ହୋଇଯାଇଥିଲେ ବି ଆଜିଯାଏଁ କାହିଁକି ପ୍ରଶାସନ ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ, ଯେଉଁଥିପାଇଁ ଆମେ ରାଜରାସ୍ତାରେ ବସିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ ଲୋକେ।ପରେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଶ୍ରୀ ବାରିକ କହିଛନ୍ତି ଲୋକଙ୍କ ସମସ୍ୟାର ଖୁବଶିଘ୍ର ସମାଧାନ ହେବ। ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଲୋକେ କହିଥିବା ଜଣାପଡ଼ିଛି।
ଦୀର୍ଘସମୟ ପରେ ହଟିଲା ରାସ୍ତା ଅବରୋଧ
