ଜିଲ୍ଲାସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା

ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ୩୧ଟି କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଆଜି ଜିଲ୍ଲା ସ୍ତରୀୟ ପରୀକ୍ଷା ପାଇଁ ଡ଼କାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅବିଭାବିକା ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ନନ୍ଦିଘୋଷ ଗ୍ରାମରେ ଥିବା ଜବାହରଲାଲ ବିଦ୍ୟାପୀଠକୁ ୧୦ଟା ପୂର୍ବରୁ ପହଞ୍ଚି ଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ନୈବେଦ୍ୟ ଦେଇ ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋଟରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଜିଲ୍ଲାର ୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ ଖାତା ମୂଲ୍ୟାୟନ କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପ୍ରଧାନ, ଶିକ୍ଷକ ଅଚ୍ୟୁତାନନ୍ଦ ବେହେରା, ପିମିଟ କଲେଜ ଅଧ୍ୟାପକ ମୃତ୍ୟୁଞ୍ଜୟ ପଣ୍ଡା ଓ ଶିକ୍ଷକ ପବିତ୍ର କୁମାର ସାହୁ।

ପରୀକ୍ଷା ଖାତା ମୂଲ୍ୟାୟନ ପରେ ପରେ ସାଙ୍ଗେସାଙ୍ଗେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପ୍ରଧାନ, ନୟାଗଡ଼ ଜିଲ୍ଲା ଚାରଣ ସଂଗଠନର ସଂଗଠକ ରାମକୃଷ୍ଣ ସାହୁ, ସମ୍ପାଦକ ଡା. ପ୍ରମୋଦ କୁମାର ପାଳ ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାର ପରୀକ୍ଷା ନିୟନ୍ତ୍ରକ ଡ. ସୁରେଶ ଚନ୍ଦ୍ର ବରାଡ଼ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆର ଅସ୍ମିତା ବିଷୟରେ କହିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆର ପରିଚୟ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

ଶେଷରେ ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ପରୀକ୍ଷାରେ ଓରିକମ ଏଜୁକେସନ, ଓଡ଼ଗାଁର ଗାୟତ୍ରୀ ସାହୁ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକ ନୋଡାଲ ବିଦ୍ୟାପୀଠ ପଞ୍ଚିରିଡା ମାନପୁରର ଲିପ୍ସା ପ୍ରିୟଦର୍ଶିନୀ ସାହୁ ଦ୍ବିତୀୟ ଓ କୋମଣ୍ଡ ହାଇସ୍କୁଲର, କୋମଣ୍ଡର ଖୁସି ସାହୁ ତୃତୀୟ ସ୍ଥାନ ଅଧିକାର କରି ଡିସେମ୍ବର ମାସ ୭ତାରିଖରେ ପୁରୀରେ ହେବାକୁଥିବା ଜାତୀୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଯୋଗଦେବାପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଜବାହରଲାଲ ବିଦ୍ୟାପୀଠ, ନନ୍ଦିଘୋରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ସ୍ବାଇଁ, ଶିକ୍ଷକ ବିଜୟ କୁମାର ଗାହାଣ, ଶିବ କୁମାର ବେହେରା, ଶିକ୍ଷା କର୍ମଚାରୀ ସୁରେନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁ  ଅକୁଣ୍ଠ ସହଯୋଗ କରିଥିବାରୁ ଅନୁଷ୍ଠାନ ତରଫରୁ ସଂଗଠକ ରାମକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts