ନୟାଗଡ଼ ଜିଲ୍ଲାରେ ତୁରନ୍ତ ଧାନମଣ୍ଡି ଖୋଲିବା ପାଇଁ କଂଗ୍ରେସ ସଭାପତିଙ୍କ ଦାବୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଧାନକିଣା କାର୍ଯ୍ୟ ଶୁଭାରମ୍ଭ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା DLPC ବୈଠକରେ ଡିସେମ୍ବର ୨୯ତାରିଖ ଠାରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲି ଧାନକିଣା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବା ନିଷ୍ପତ୍ତି ଚାଷୀବିରୋଧୀ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶ ଦାବି କରିଛନ୍ତି।

ଏବେ ଧାନ ଅମଳ ହୋଇ ଚୀଷୀ ମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଧାନ ମହଜୁଦ୍ ଅଛି। ତେଣୁ ଜିଲ୍ଲାରେ ଅଭାବୀ ଧାନ ବିକ୍ରୀକୁ ବନ୍ଦ କରିବା ପାଇଁ ଏବେ ଠାରୁ ଧାନ ମଣ୍ଡି ଖୋଲି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି।

କାରଣ ଗତବର୍ଷ ଠିକ୍ ଏହି ଡିସେମ୍ବର ୨୯ ଧାନକିଣା କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ୧ମାସ ଯାଏ ମିଲର୍ ମାନେ ଧାନ କିଣିବା ପାଇଁ ମଣ୍ଡିକୁ ଗଲେ ନାହିଁ। ମଣ୍ଡିରେ ତାଲା ପଡି ରହିଥିଲା। ଜିଲ୍ଲା ବ୍ୟାପି ପ୍ରତ୍ୟକ ମଣ୍ଡିରେ ଚାଷୀମାନେ ସେମାନଙ୍କ ଧାନ ବସ୍ତା ଗଦା କରି ଶୀତକାକର ରାତିରେ ପଡି ରହିଥିବାର ବିକଳ ଚିତ୍ର ସମସ୍ତେ ଦେଖିଛନ୍ତି।

ଜିଲ୍ଲାରେ ମିଲର୍ ମାନଙ୍କ ମନମାନୀ, କୁଇଣ୍ଟାଲ ପ୍ରତି ୧୦କେଜି ଧାନ କାଟିବା ପାଇଁ ମିଲର୍ ସଂଘର ଟାଳଟୁଳ ଜିଦ୍ ଆଗରେ ଚାଷୀମାନେ ମୁଣ୍ଡ ନୁଆଁଇବା ପରେ ଧାନ କୁଇଣ୍ଟାଲ ପ୍ରତି ୧୦/୧୨ କେଜି ଧାନ କଟନୀ ଛଟନୀ କରାଯାଇ ମିଲର୍ ମାନେ ଧାନ କିଣିଥିଲେ।

ଚଳିତ ବର୍ଷ ଜିଲ୍ଲାରେ ୧୭ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ ଥିଲା ବେଳେ ଯଦି ଏବେ ଠାରୁ ଧାନ କିଣା କାର୍ଯ୍ୟ ଆରମ୍ଭ ନହୁଏ, ତେବେ ଅଭାବୀ ଧାନ ବିକ୍ରିକୁ ଜିଲ୍ଲାପାଳ ରୋକିପାରିବେ ନାହିଁ ବୋଲି କଂଗ୍ରେସ ନେତା ଶ୍ରୀ ଦାଶ କହିଛନ୍ତି।

ଡିସେମ୍ବର ମାସ ଶେଷ ବେଳକୁ ଧାନ କିଣା କାର୍ଯ୍ୟ ଆରମ୍ଭ କରାଗଲେ ଜିଲ୍ଲାବ୍ୟାପି ଚାଷୀମାନଙ୍କର ପ୍ରଭୁତ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଥିବା ବେଳେ DLPC ବୈଠକରେ ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିମାନେ ଏଭଳି ଚାଷୀବିରୋଧି ନିଷ୍ପତି ନେବାର ଅସଲ ଉଦ୍ଦେଶ୍ୟ କଣ ବୋଲି ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି।

ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ବରିଷ୍ଠ କଂଗ୍ରେସ ନେତା ସୁକାନ୍ତ କୁମାର ଶତପଥି, ଲଡୁକେଶ୍ୱର ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ସାନ୍ତ ଏବଂ ଚାଷୀ ନେତା ଅଧିକାରୀ ମହାରଣା, ଭଗବାନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts