ନୂଆ ଜୀବନ ପାଇଲେ ୩ଜଣ, ମରି ବି ଅମର କୁନ୍ତଳା

ରଣପୁର, (ନୟାଗଡ଼ ଦର୍ପଣ): ଅଙ୍ଗଦାନ ହେଉଛି ସର୍ବକାଳୀନ ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତ ଅଧୀନ ଗଉଡ଼ିଆପଡ଼ା ଗାଁ’ର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର କାର୍ଯ୍ୟ ଦ୍ବାରା ଏହା ସମ୍ଭବ ହୋଇପାରିଛି। ସୂଚନା ଥାଉକି, କୁନ୍ତଳା ନନ୍ଦଙ୍କୁ ଗତ ମାସ ୨୯ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪୯ ବର୍ଷୀୟା କୁନ୍ତଳାଙ୍କୁ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଡେଡ୍ (ମସ୍ତିଷ୍କ
ମୃତ) ଘୋଷଣା କରାଯାଇଥିଲା ବେଳେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ।

ସାପ କାମୁଡ଼ାରେ ମୃତ୍ୟୁ ପରେ କିଡ୍‌ନି, ଯକୃତ ଦାନ କଲେ
କୁନ୍ତଳାଙ୍କର ଦୁଇଟିଯାକ କିଡ୍‌ନି ଓ ଯକୃତ ଉଦ୍ଧାର କରାଯାଇଥିଲା ଏବଂ ବିଭିନ୍ନ ରୋଗରେ ଯୁଝୁଥିବା ତିନି ଜଣଙ୍କୁ ନୂଆ ଜୀବନ ଦେଇଥିଲା। ଗୁରୁବାର ଦିନ ନିଜ ଜନ୍ମସ୍ଥାନରେ କୁନ୍ତଳାଙ୍କୁ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ସମାଜରେ ମାନବିକତା ଓ ନିସ୍ବାର୍ଥ ସେବା ପାଇଁ ଏପରି ବ୍ୟକ୍ତିତ୍ବଙ୍କର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ କୁନ୍ତଳାଙ୍କ ପରିବାରକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଇଛନ୍ତି। ଉତ୍କଳ ହସ୍ପିଟାଲ ତରଫରୁ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡ. ନେଗୀ, ଆୟୁଷ ଏବଂ ତାଙ୍କ ଟିମ୍; ଏମ୍‌ସ ତରଫରୁ ନେଫ୍ରୋଲୋଜିଷ୍ଟ ଡ. ସନ୍ଦୀପ, ଡ. ପ୍ରୀତି, ଗ୍ୟାଷ୍ଟ୍ରୋ ସର୍ଜନ ଡ. ବ୍ରହ୍ମଦତ୍ତ, ୟୁରୋଲୋଜିଷ୍ଟ ଡ. ପ୍ରଶାନ୍ତ, ଡ. ସମ୍ବିତ, ଡ. ବିବେକ, ଡ. ମନୋଜ, ଡ. ସ୍ବର୍ଣ୍ଣେନ୍ଦୁ, ଡ. କାଳନ୍ଦୀ; ଟ୍ରାନ୍ସପ୍ଲାଣ୍ଟ କୋଅର୍ଡିନେଟର ଜିନତ ଓ ଦୀପକ, ସୋଟୋ ଟିମ୍ ପକ୍ଷରୁ ସୁମନ ଓ ସୁବ୍ରତଙ୍କ ତତ୍ତ୍ଵାବଧାନରେ ଅଙ୍ଗ ପ୍ରତିରୋପଣ କରାଯାଇଥିବା ଜଣାଯାଇଛି।

Related posts