ରଣପୁରରେ ଓଡ଼ିଶା ଗୋତିମୁକ୍ତି ଅଭିଯାନର ସାଧାରଣ ଅଧିବେଶନ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ):- ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଆନୁକୂଲ୍ୟରେ ଆଜି ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରଘୁ ଦିବାକର ଭବନ ରଣପୁର ପରିସରରେ ଆୟୋଜିତ ଏହି ବୈଠକରେ ଓଡିଶା ଗୋତିମୁକ୍ତି ଅଭିଯାନ ରଣପୁର ବ୍ଲକ କମିଟି ଅଧ୍ୟକ୍ଷ ଗୋବର୍ଦ୍ଧନ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଗୋତିମୁକ୍ତି ଅଭିଯାନର ରାଜ୍ୟ ସଭାପତି ସୁରେଶ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଜାତି ଦୃଷ୍ଟିରୁ ପୁରୁଷାନୁକ୍ରମେ ଵର୍ତନ ପ୍ରତି ବଦଳରେ ଉଚ୍ଚ ଜାତିର ସେବା କରି ଆସୁଥିବା ରଜକ ଏବଂ ବାରିକ ଜାତିର ଗୋତି ଶ୍ରମିକମାନଙ୍କୁ ଗୋତି ଶ୍ରମିକ ଉଚ୍ଛେଦ ଆଇନ- ୧୯୭୬ ବଳରେ ଥଇଥାନ କରିବା ସହ ସମସ୍ତଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ ଥାଉକି, ଉକ୍ତ ଆଇନ ବଳରେ ଗତ ୨୦୧୪ ମସିହାରୁ ରଣପୁର ବ୍ଲକର ଉଭୟ ସମ୍ପ୍ରଦାୟର ୨୦୨ ଜଣ ଆବେଦନ କାରୀ ମୁକ୍ତି ଓ ଥଇଥାନ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ୨୦୧୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମହୋଦୟ ସେମାନଙ୍କ ମଧ୍ୟରୁ ୧୮୪ଜଣଙ୍କୁ ଚୟନିତ କରିବା ସହ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ମୁକ୍ତି ନିର୍ଦ୍ଦେଶ ପ୍ରମାଣ ପତ୍ର ପ୍ରଦାନ କରିବା ସହ ମାତ୍ର ପାଞ୍ଚ ଜଣଙ୍କୁ ୫୦୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ହିତାଧିକାରୀଙ୍କର ଆବେଦନ ପତ୍ର କୋର୍ଟରେ ଖାରଜ ହେବା ଘଟଣାକୁ ଉପସ୍ଥିତ ବକ୍ତାମାନେ ଘୋର ନିନ୍ଦା କରିଥିଲେ। ଏଥିସହିତ କରୋନା ମହାମାରୀ ସମୟରେ ସମ୍ପୂର୍ଣ୍ଣ ଜୀବିକା ହରାଇ ଥିବା ଉଭୟ ସମ୍ପ୍ରଦାୟର ଗୋତି ଶ୍ରମିକମାନଙ୍କ ପରିବାରକୁ ମାଗଣା ରାସନ ସହ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବୀ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଯୁକ୍ତା ସେଠୀ, ତ୍ରିଲୋଚନ ସେଠୀ ଏବଂ ରାଜକିଶୋର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଶାନ୍ତିଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଦୀପ କୁମାର ରଣା
ରାଜସୁନାଖଳା ପ୍ରତିନିଧି, ମୋ-୯୯୩୮୬୮୮୪୩୨

Related posts