ଆଦର୍ଶ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ରଣପୁର ବ୍ଲକ କ୍ରୀଡ଼ା ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏ ନେଇ ଆୟୋଜିତ ସଭାରେ କୁଳାସର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ କୁମାର ବାହିନୀପତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅବସର ପ୍ରାପ୍ତ ବିଇଓ ଉପେନ୍ଦ୍ରନାଥ ସାହୁ, ମୁଖ୍ୟବକ୍ତା ଭାବେ କୁଳାସର ହାଇସ୍କୁଲର ପ୍ରାକ୍ତନ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଦେଉଳି ଆଞ୍ଚଳିକ ହାଇସ୍କୁଲ ପ୍ରଧାନ ଶିକ୍ଷକ ନଳିନୀକାନ୍ତ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ ଯୋଗଦେଇଥିଲେ ।

ଅବସରଗ୍ରହଣ କରିଥିବା କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ର ଜଣେ ଆଦର୍ଶ ଶିକ୍ଷକ ଏବଂ ଛାତ୍ରପ୍ରେମୀ ଭାବେ ଅନେକ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ କୃତିତ୍ୱର ସହ ପହଞ୍ଚାଇଛନ୍ତି । ଜଣେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଭୂଗୋଳ ଆଦି ବିଷୟରେ ତାଙ୍କର ଦଖଲ ଥିଲା । ଖେଳକୁଦରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରିଥିଲେ । ୨୦୧୮ରୁ ଏଯାବତ ରଣପୁର ବ୍ଲକର କ୍ରୀଡ଼ା ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଅବସର ପରେ କୁଳାସର ବିଦ୍ୟାଳୟ ପାଇଁ ଅପୂରଣୀୟ କ୍ଷତି ଘଟିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ଦେଉଳି ଆଞ୍ଚଳିକ ହାଇସ୍କୁଲ ଏବଂ କୁଳାସର ଆଞ୍ଚଳିକ ହାଇସ୍କୁଲର ପୁରାତନ ଛାତ୍ର ସଂସଦ, ସହକର୍ମୀ ଏବଂ ବିଦ୍ୟାଳୟ ତରଫରୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଏହି ଅବସରରେ ସାମ୍ବାଦିକ ଜୟେନ୍ଦ୍ର ବେହେରା, ପୁରାତନ ଛାତ୍ର ଜମ୍ବେଶ୍ୱର ସାହୁଙ୍କ ସମ୍ପାଦନାରେ ଏବଂ ଶିକ୍ଷକ ଶିକ୍ଷକ ପ୍ରଭାତ କୁମାର ପଣ୍ଡା ସଂଯୋଜନାରେ ପ୍ରକାଶିତ ପୁସ୍ତକ “ସୁବାସ ସଂସ୍କରଣମ୍ “କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରଯାଇଥିଲା। ଶିକ୍ଷକ ରମେଶ କୁମାର ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ସୁବାସଙ୍କ ସ୍ମୃତି ରୋମନ୍ଥନ ନିମନ୍ତେ ଏକ ଡକୁମେଣ୍ଟାରୀ ପ୍ରୋଜେକ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଏହି ସଭାରେ ଶିକ୍ଷକ ବିଜୟ କୁମାର ମହାପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ର, ରଣପୁର ବ୍ଲକର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ପୁରାତନ ଛାତ୍ର ତଥା ସାମ୍ବାଦିକ ଜୟେନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts