କଷ୍ଟି ଡାକୁଆଙ୍କ ବଳିଦାନ ଅବିସ୍ମରଣୀୟ: ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶୁବିଡା ଗ୍ରାମ ରେ ୮୨ତମ କଷ୍ଟି ଡାକୁଆଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମରେ କଷ୍ଟି ଡାକୁଆଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୭ ନଂ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ଗ୍ରାମ ସଭାପତି ସନାତନ ଜାନୀ, କଷ୍ଟି ଡାକୁଆଙ୍କ ନାତି ପ୍ରପର ଗୋପୀନାଥ ଡାକୁଆ, କୁବେର ଡାକୁଆ ପ୍ରମୁଖ ଯୋଗଦେଇ କଷ୍ଟି ଡାକୁଆଙ୍କ ବଳିଦାନର ଗାଥା ଉପରେ ବର୍ଣ୍ଣନା କରିଥିଲେ। ସୂଚନା ଥାଉକି କଷ୍ଟି ଡାକୁଆ କୁଶୁବିଡା ଗ୍ରାମରେ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ଇଂରେଜମାନଙ୍କ ଗୁଳିରେ ନୂଆଗାଁ ଥାନା ପଛପଟେ ୧୯୪୨ମସିହାରେ ପ୍ରାଣତ୍ୟାଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Related posts