ଦ୍ୱିତୀୟ ସାଧନକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଆଜି ସମଗ୍ରଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ ପକ୍ଷରୁ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାଧନକେନ୍ଦ୍ର ତରଫରୁ ଏହାର ସଂଯୋଜକମାନଙ୍କ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଓଡ଼ଗାଁ ବ୍ଲକ୍ ମଶାବାରୀ ସାଧନକେନ୍ଦ୍ର ତରଫରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କୁରୁମବାଙ୍କତରାଠାରେ ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର ବୈଠକକୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଂଶୀଧର ପାଲ୍ ଓ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ସାଧନକେନ୍ଦ୍ର ପରିସରଭୁକ୍ତ ବାରଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମୁଦାୟ ଯୋଗଦାନ କରି ବୈଠକର ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସରକାରଙ୍କ ପକ୍ଷରୁ ଆହୂତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା, ଶିକ୍ଷା ସପ୍ତାହ ପାଳନ ସହ ବିଦ୍ୟାଳୟ ପରିବେଶ, ଛାତ୍ରଛାତ୍ରୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ସାଇବର୍ ସୁରକ୍ଷା ଆଦି ସମ୍ପର୍କିତ ବିଶଦ ଆଲୋଚନା କରାଯାଇଥିଲା।ପରିଶେଷରେ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ରଞ୍ଜିତ କୁମାର ମହାପାତ୍ର ବୈଠକ ସମ୍ପର୍କିତ ନିଜସ୍ୱ ମତାମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related posts