ନୟାଗଡ଼ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ

ନୟାଗଡ଼: ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାର କାଉନସିଲ ସଭାପତି ବୃନ୍ଦାବନ ପଣ୍ଡା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କ୍ଲବର ପୁରୁଖା ସଦସ୍ୟ ପ୍ରମୋଦ ପଟ୍ଟନାୟକ ଯୋଗଦାନ କରି ଆସନ୍ତା ଦୁଇବର୍ଷ ପରେ କ୍ଳବ ଶହେ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ୧୦୦ତମ ଜୁବୁଲି ପାଳନ କମିଟି ଗଠନ କରିବା ସହିତ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କ୍ଲବର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗଦାନ କରି କ୍ଲବର ପୁରାତନ ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିବା ବେଳେ ଆଗାମୀ ଦିନରେ କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ଳବ ସଭାପତି ଭାଗିରଥି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ କ୍ଲବର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ କ୍ଳବ ପରିସରରେ ଥିବା କ୍ଲବର ପ୍ରତିଷ୍ଠାତା ନୟାଗଡ଼ର ତତ୍କାଳୀନ ରାଜସାହେବ ସ୍ବର୍ଗତ କୃଷ୍ଣଚନ୍ଦ୍ର ସିଂ ମାନ୍ଧାତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରତିଷ୍ଠା ଦିବସ ସଭାରେ କ୍ଲବର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଭବାନୀ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଚନ୍ଦନ ମହାପାତ୍ର ଏବଂ କୋଷାଧ୍ୟକ୍ଷ ରିଟୁ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।

Related posts