ନୟାଗଡ଼ରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ୍ ସଭାଗୃହରେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି । ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଜନସାଧାରଣଙ୍କ ଆଶା, ବିଶ୍ୱାସ ଓ ବିକାଶ ସମସ୍ତ ବିଭାଗୀୟ ଅଧରକାରୀମାନଙ୍କ ମାଧ୍ୟମରେ ପୂରଣ କରିବା ପାଇଁ ମୁଁ ଆପଣମାନଙ୍କର ସହଯୋଗ ଆଶା କରୁଛି । ଏହା ପରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବଦତ୍ତ ପଣ୍ଡା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଚାଲୁ ରହିଥିବା ଏବଂ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ କରି କହିଥିଲେ ଯେ, ନିର୍ବାଚନ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର ହୋଇଯାଇଥିଲା । ବର୍ତ୍ତମାନ ସବୁ କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଡିଓ ତଥା ଅନ୍ୟାନ୍ୟ ଲାଇନ୍ ବିଭଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ ଆଇନ ଶୃଙ୍ଖଳା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଦେଶରେ ଜୁଲାଇ ୧ତାରିଖରୁ ଲାଗୁ ହୋଇଥିବା କ୍ରିମିନାଲ ଆଇନ୍ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା, ବ୍ଲକ, ଥାନା ଓ ଫାଣ୍ଡିସ୍ତରରେ ଅନେକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହ ହଜିଯାଉଥିବା ମୋବାଇଲଗୁଡ଼ିକ ଖୋଜି ବାହାର କରିବା ପାଇଁ ଲୋକମାନେ ଆଉ ଥାନାକୁ ନ ଆସି ମୋବାଇଲ ଆପ୍ ମାଧ୍ୟମରେ ହଜିଥିବା ମୋବାଇଲ ବିଷୟରେ ବିବରଣୀ ପ୍ରଦାନ କଲେ ସେଗୁଡ଼ିକ ଖୋଜି ମୋବାଇଲ ମାଲିକମାନଙ୍କୁ ହସ୍ତାନ୍ତର କରାଯାଉଛି । ପରେ ପରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, TPCODL, ଜଳସେଚନ, ଉଠା ଜଳସେଚନ, ଶିକ୍ଷା, ଜିଲ୍ଲା ମଙ୍ଗଳ ବିଭାଗ, ସ୍ୱାସ୍ଥ୍ୟ,ରାସ୍ତା ଓ ଗୃହ ନିର୍ମାଣ, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ, ଜଙ୍ଗଲ ବିଭାଗ (ବନ୍ୟପ୍ରାଣୀ), ଜନସ୍ୱାସ୍ଥ୍ୟ, ମତ୍ସ୍ୟ ପ୍ରଭୃତି ବିଭାଗମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ସର୍ବଶେଷରେ ଜିଲ୍ଲାପାଳ ଶ୍ରୀମତୀ ସିଂ ମାନ୍ୟବର ସାଂସଦଙ୍କ ବହୁମୂଲ୍ୟ ପରାମର୍ଶ ପାଇଁ ଧନ୍ୟବାଦ ଦେବା ସହ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Related posts