ଦଶପଲ୍ଲାରେ କାୟା ମେଲୁଛି କଫ୍ ସିରପ୍ ବ୍ୟବସାୟ

ଔଷଧ ବଦଳରେ ନିଶା ଭାବେ ହେଉଛି ବ୍ୟବହାର
ଦଶପଲ୍ଲା: (ନୟାଗଡ ଦର୍ପଣ) ବେଆଇନ ଭାବରେ ଚାଲିଛି କଫ ସିରପ୍ ବ୍ୟବସାୟ । ଦିନକୁ ଦିନ ଏହି ବ୍ୟବସାୟ ଦଶପଲ୍ଲା ଅଂଚଳରେ କାୟା ମେଲୁଥିବା ବେଳେ ଔଷଧ ବାହାନାରେ ଏହାକୁ ନିଶା ଭାବରେ ବ୍ୟବହାର କରାଯାଉଛି । ଦଶପଲ୍ଲା ଅଂଚଳର କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନୀ ଔଷଧ ବ୍ୟବସାୟ ବାହାନାରେ ଏହି ବ୍ୟବସାୟକୁ ବେଶ୍ ଆପଣେଇ ନେଇଥିବା ଚର୍ଚ୍ଚା ହେଉଛି । ବିଭିନ୍ନ କମ୍ପାନୀର ନକଲି କଫ ସିରପ୍ ନୟାଗଡ ଜିଲ୍ଲା ସମେତ ପଡୋଶୀ ଭୁବନେଶ୍ୱର ଏବଂ କଟକ ଅଂଚଳରୁ ଚାଲାଣ ହେଉଥିବା ଜଣାପଡିଛି । ଏହା ପଛରେ ଏକ ରାକେଟ୍ କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଏବେ ବିଭିନ୍ନ ଗ୍ରାମ ସମେତ କିଛି ଔଷଧ ଦୋକାନରେ ଖୋଲାଖୋଲି ଭାବେ ଏହି ବ୍ୟବସାୟ ଚାଲିଥିବା ବେଳେ ସବୁଜାଣି ବିଭାଗୀୟ ଅଧିକାରୀ ନିରବ ସାଜିଥିବା ଅଭିଯୋଗ ହେଉଛି । ଏସବୁ କଫ ସିରପ୍ ଔଷଧ ଭାବେ ବ୍ୟବହାର କରିବା ପରିବର୍ତ୍ତେ କମ୍ ପଇସାରେ ଅଧିକ ନିଶା ହେଉଥିବା ହେତୁ ଅଧିକାଂଶ ଯୁବପିଢି ଏହାକୁ ନିଶା ଭାବେ ଆପଣେଇ ନେଉଥିବା ଅଭିଯୋଗ ହେଉଛି । କରୋନା ପାଇଂ ଏବେ ଚାରିଆଡେ ଲକଡାଉନ ସଟଡାଉନ ଚାଲିଥିବା ବେଳେ ଦଶପଲ୍ଲାର ପ୍ରମୁଖ ସ୍ଥାନ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସମେତ, ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ପରିସରରେ ମାଳମାଳ ହୋଇ ଏସବୁ ବୋତଲ ପଡି ରହିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଡ୍ରଗ୍ସ୍ ଇନସ୍ପେକ୍ଟର ବିଭିନ୍ନ ସ୍ଥାନରେ ଚଢଉ କରିଥିବା ବେଳେ କିଛି ସ୍ଥାନରୁ ଏସବୁ କଫ୍ ସିରପ ଜବତ କରିଥିବା ଜଣାପଡିଛି । ମାତ୍ର କୈାଣସି ସ୍ଥାନରେ ଆଖି ଦୃଷ୍ଟିଆ ଚଢଉ କିମ୍ବା କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ବେଳେ ଦିନକୁ ଦିନ ଏହି ବ୍ୟବସାୟ କାୟା ବିସ୍ତାର କରୁଥିବା ଅଭିଯୋଗ ହେଉଛି ।

Related posts