ଶରଣକୁଳ, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ଆଜି ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ୪୭ତମ ପ୍ରାଦେଶିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଦଳପତି ପ୍ରାଧ୍ୟାପକ ଡ.ଗୋପାଳ ଚନ୍ଦ୍ର ରଥଙ୍କ ପୈାରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷାର ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ। ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦୦ରୁ ଅଧିକ ଚାରଣ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ପ୍ରାଦେଶିକ ସମ୍ମିଳନୀ ତିନିଦିନ ଧରି ଚାଲିବ। ଆଜି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବକ କୃଷ୍ଣଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ବରିଷ୍ଠ ଦୟିତା ପତି ଲୋକନାଥ ଦାସ ମହାପାତ୍ର ଓ ବରିଷ୍ଠ ସୁଆର ବଳଭଦ୍ର ମହାପାତ୍ର। ମୁଖ୍ୟବକ୍ତା ଦାୟିତ୍ଵ ତୁଲାଇଥିଲେ ପ୍ରବଚକ ଇଂ ପାର୍ଥ ସାରଥି ମହାନ୍ତି। ସଭାକୁ ସଂଯୋଜନା କରିଥିଲେ ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାରଣମାନଙ୍କୁ ସ୍ବାଗତ କରାଯାଇଥିଲା। ନିକଟସ୍ଥ ଦୁଆଣ୍ଟ ନଦୀରୁ ୧୦୮କଳସୀରେ ଜଳ ଉତ୍ତୋଳନ କରି ଯଜ୍ଞ ସ୍ଥଳକୁ ଚାରଣ ମାନେ ଆଣିଥିଲେ। ନଗର କୀର୍ତ୍ତନ ପରେ ବ୍ରାହ୍ମଣ ମାନଙ୍କ ମନ୍ତ୍ରୋଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ସନ୍ଧ୍ୟାରେ ଆୟୋଜିତ ପ୍ରବଚନ ସଭାରେ ଅନୁଷ୍ଠାନର ମୁଖପତ୍ର ଉନ୍ମନା ଅତିଥି ମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।
ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ୪୭ତମ ପ୍ରାଦେଶିକ ସମ୍ମିଳନୀ ଉଦଘାଟିତ
