ପ୍ରଭୁ ଶ୍ରୀ ନୀଳମାଧବଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ


ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୬ତାରିଖ ଦିନ ୧୨ଘଟିକା ସମୟରେ କଣ୍ଟିଲୋର ମହାନଦୀ ଘାଟରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ବାରୁଣୀ ସ୍ନାନ ଦେବ ନୀତି ଅନୁଷ୍ଠିତ ହେବ । ଏଥ‌ିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଉକ୍ତ ସ୍ନାନଯାତ୍ରାରେ ଯୋଗ ଦେବେ। ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ସିଂ ଜିଲ୍ଲାର ବିଭିନ୍ନ ଲାଇନ ବିଭାଗ ଯଥା-ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଆରକ୍ଷୀ ବିଭାଗ, ନଦୀ ଗର୍ଭରେ ଭକ୍ତମାନଙ୍କ ସୁରକ୍ଷିତ ସ୍ନାନ ନିମନ୍ତେ ବ୍ୟାରିକେଡ୍ ନିର୍ମାଣ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ନଦୀ ମଧ୍ୟକୁ ଭକ୍ତମାନଙ୍କ ଯିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଜଳସଂପଦ ବିଭାଗ, ଜଳ ମଧ୍ୟରେ ଆକସ୍ମିକ ଦୁର୍ଘଟଣା ପ୍ରତିହତ ପାଇଁ ଡଙ୍ଗା ଓ ଟିଉବ୍ ନିୟୋଜନ ନିମନ୍ତେ ଅଗ୍ନିଶମ ବିଭାଗ, ପ୍ରାଥମିକ ଚିକିତ୍ସା ପାଇଁ ସ୍ଵାସ୍ଥ୍ୟ ବିଭାଗ, ଶାନ୍ତି ଶୃଙ୍ଖଳାରେ ପୋଲିସ ବାହିନୀକୁ ସହଯୋଗ କରିବା ପାଇଁ କଣ୍ଟିଲୋ ମହାବିଦ୍ୟାଳୟର ଏନ.ଏସ.ଏସ. ଏବଂ ଯୁବ ରେଡକ୍ରସର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣ ନିମନ୍ତେ ଅଧ୍ୟକ୍ଷ କଣ୍ଟିଲୋ ମହାବିଦ୍ୟାଳୟକୁ ଅନୁରୋଧ କରାଯାଇଛି । ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଏକ ସୂଚନା କେନ୍ଦ୍ର ଖୋଲାଯିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅସ୍ଥାୟୀ ଶୌଚାଳୟ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରାସ୍ଥଳରେ ପଲିଥିନ ପ୍ୟାକେଟ୍ ପାଣି ବ୍ୟବହାର କରିବା ନିମନ୍ତେ ନିଷେଧ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖଣ୍ଡପଡ଼ା ଧୋବେଇ ନାୟକ ପ୍ରମୁଖଙ୍କ ସହ ବିଭିନ୍ନ ଲାଇନ ବିଭାଗ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related posts