ଦଶପଲ୍ଲା ବିଧାୟକଙ୍କ ନେତୃତ୍ୱରେ ନୂଆଗାଁରେ ମହିଳା ମହାସମାବେଶ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ହୋଇଥିବା ଐତିହାସିକ ମହିଳା ସମାବେଶ ଦଶପଲ୍ଲା ବିଧାୟକଙ୍କ ଲୋକ ପ୍ରିୟତାକୁ ପ୍ରମାଣିତ କରିଛି। ନୂଆଗାଁ ବ୍ଲକ ସଦର ମହକୁମାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେବା ସହ ମିଶନ ଶକ୍ତି ଗୃହ ଓ ୫ଟି ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି। ନୂଆଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ୫ହଜାରରୁ ଉର୍ଦ୍ଧ୍ବ ମହିଳା କର୍ମୀଙ୍କ ଉପସ୍ଥିତିରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରି ବ୍ଲକ ନିକଟରେ ଥିବା ମିଶନ ଶକ୍ତି ଗୃହ ନିକଟରେ ପହଞ୍ଚି ବ୍ଲକ ମିଶନ ଶକ୍ତି ଗୃହକୁ ବିଧାୟକ ଶ୍ରୀ ବେହେରା ଶୁଭ ଉଦଘାଟନ କରିଥିଲେ।

ଏହା ପରେ ନୂଆଗାଁ ହାଇସ୍କୁଲ ପଡିଆରେ ପହଞ୍ଚି ଏକ ସଭାର ଅୟୋଜନ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଯୋଗଦେଇ ୩୮କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ୫ଟି ରାସ୍ତାର ଶୁଭ ଉଦଘାଟନ କରିଥିଲେ। ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଜାନକୀ ଦେହୁରୀ, ଦଶପଲ୍ଲା ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷା ଅନୁପମା ବେହେରା, ମହିଳା ବିଜେଡି ନେତ୍ରୀ ସଂଯୁକ୍ତା ଦାସଗୁପ୍ତା, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ୧୭ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ୨୨ଟି ପଞ୍ଚାୟତର ସମସ୍ତ ଜନପ୍ରତିନିଧିଙ୍କ ସମେତ ବରିଷ୍ଠ ବିଜେଡି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଶପଲ୍ଲାରେ ବିଜେଡି ଦଳ କିପରି ସୁଦୃଢ ହେବ ସେ ନେଇ ବିଧାୟକ ଶ୍ରୀ ବେହେରା ଦଶପଲ୍ଲା, ଗଣିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ନୂଆଗାଁ ବ୍ଲକର ମହିଳାମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ। ଯାହାକି ଆଗାମୀ ଦିନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ସୁଦୃଢ ହେବ ସହ ନିର୍ବାଚନ ବୈତରଣୀ ପାର ହେବ ସହଜ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ଚାଲିଛି।

Related posts