ନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୨, ୪୦, ୦୦୦ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୨ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୧ଟି ଏବଂ ବିବାହଜନିତ ୫ଟି ମାମଲା ଫଇସଲା କରାଯାଇଥିଲା। ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୮୩ ଜଣ ଋଣ ଗ୍ରହିତାଙ୍କଠାରୁ ୭୬,୧୩,୨୦୫ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା। ଅନ୍ଯାନ୍ଯ ଫୌଜଦାରୀ ୧୦୨ଟି ମାମଲା ଫଇସଲା କରାଯାଇ ୫୬୦୦ ଟଙ୍କା ଆଦାୟ କରଯାଇଥିଲା। ୨୯ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୪,୬୩,୦୨୪.୮୧ଟଙ୍କା ଆଦାୟ କରଯାଇଥିଲା। ସେହିପରି ୩୯୯୫ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୨,୬୧,୦୯୫ ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ, ଜେ.ଏମ. ଏସ.ସି ରାକେଶ କୁମାର ସାହୁ ଏବଂ ସମୃଦ୍ଧି ସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ(ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା୧୧.୦୫.୨୦୨୪ ରିଖ ଦ୍ଵିତୀୟ ଶନିବାର ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ପ୍ରାଧିକରଣର ସଚିବ ବିଶେଷ କୁମାର ସାହୁ ଜନ ସାଧାରଣଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ।

Related posts