ଭଏସ୍ ଅଫ୍ ନୟାଗଡ଼ର ବିଜେତା ହେଲେ ଦେବୀପ୍ରସାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ଚତୁର୍ଥ ସିଜିନ୍ ର ଗ୍ରାଣ୍ଡ ଫାଇନାଲ୍ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ନୟାଗଡ଼ କ୍ଳବର ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋୖରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ଥିବା ବେଳ ନୟାଗଡ଼ କ୍ଳବ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ସଂପାଦକ ମହିର ରଂଜନ ନାୟକ ଓ ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ଅଶୋକ କୁମାର ନାୟକ, ସୁବୋଧ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ଅବିନାଶ ସାହୁ, ଗୋପୀନାଥ ସେଠୀ, ପ୍ରକାଶ ଷଡଙ୍ଗୀ ବାସୁଦେବ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଶାନ୍ତ୍ବନୁ ନାୟକ, ସୁରଗନ୍ଧର୍ବ ନବକିଶୋର ମିଶ୍ର ଏବଂ ସସ୍ମିତା ମିଶ୍ର ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ର ଶ୍ରେଷ୍ଠ ତିନିଜଣ ଯୁବ କଣ୍ଠଶିଳ୍ପୀଙ୍କୁ ଚୟନ କରିଥିଲେ। ଦେବୀପ୍ରସାଦ ନନ୍ଦ ଭଏସ୍ ଅଫ୍ ନୟାଗଡ଼ର ବିଜେତା ହୋଇ ଦଶହଜାର ଟଙ୍କା ଓ ଟ୍ରଫି ପାଇଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଆଶୁତୋଷ ବେହେରା, ତୃତୀୟ ସ୍ଥାନରେ କିର୍ତ୍ତୀକା ମଣ୍ଡଳ ରହିଥିଲେ। କ୍ଳବର ସଦସ୍ୟ ପ୍ରସନ୍ନ ବସନ୍ତିଆ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ।

Related posts