ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୧ରୁ ୦୭ଯାଏଁ ରାଜ୍ୟସ୍ତରୀୟ ନାଟ୍ୟମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଭୁବନେଶ୍ବର, ବାରିପଦା,ସମ୍ବଲପୁର, କଟକ ଏବଂ ଅନୁଗୁଳୁ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ। ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଆଶା ଓ ବିଶ୍ଵାସ। ଏହି ରାଜ୍ୟସ୍ତରୀୟ ନାଟ୍ୟମେଳାକୁ ପରିପୂର୍ଣ୍ଣ ଉପଭୋଗ ପୂର୍ବକ ମଞ୍ଚମୁଖି ହେବା ସକାଶେ ନାଟ୍ୟପ୍ରେମୀଙ୍କୁ ନାଟ୍ୟନୁଷ୍ଠାନ ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି। ଏ ନେଇ ଆଜି ନୟାଗଡ଼ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାଟ୍ୟଧାରା ନାଟ୍ୟନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ ଓ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠିତ ହେବାକୁ ଥିବା ନାଟ୍ୟମେଳା ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Related posts