ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ପକ୍ଷରୁ ସଚେତନତା ସଭା ଏବଂ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ପିପିଲି ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ଗାଁ ପାଳିଟେକନିକ ଅଧ୍ୟକ୍ଷ ସୂର୍ଯ୍ୟମଣୀ ସାହୁ, ସମ୍ନାନୀତ ଅତିଥି ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଭୁ ଭୂଷଣ ମିଶ୍ର, ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏବଂ ବିଦ୍ୟାଳୟ ଅଭିଭାବକ କମିଟି ବିକ୍ରମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ।


ଏହି ଅବସରରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗର ୮୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ତତ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ କହିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାହୁ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଅତିଥି ଶ୍ରୀ ମିଶ୍ର ଧନ୍ଦାମୂଳକ ଶିକ୍ଷା ଦେଶର ଆର୍ଥିକ ଅଗ୍ରଗତିରେ ସହାୟକ ହେବ ବୋଲି ମତ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସୁପ୍ରଭାବ ବିଷୟରେ ମତ ରଖିଥିଲେ। ଠିକ ସେହିପରି ପରିଧାନ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ସୁଯୋଗ ଦେବ ବୋଲି ବକ୍ତବ୍ୟ ରଖିଛନ୍ତି। ପରିଧାନ ବିଭାଗ ତରଫରୁ ଦିଆଯାଇଥିବା ବାର୍ଷିକ ବିବରଣୀକୁ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ପଠନ କରିଛନ୍ତି। ତତସହିତ ବିଦ୍ୟାଳୟରେ ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ପ୍ରଶିକ୍ଷିକା ପୁଷ୍ପାଞ୍ଜଳି ରାଉତ, କମଳା ମାଝି ଏବଂ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲୀନ ମିଶ୍ରଙ୍କ ଦ୍ଵାରା ଚାନ୍ଦୁଆ ପ୍ରଶିକ୍ଷଣ କାର୍ଯ୍ୟ ହୋଇଛି। ଉକ୍ତ ପ୍ରଶିକ୍ଷଣ ଶିବିରରେ ୮୦ଜଣ ଶିକ୍ଷାର୍ଥୀ ଯୋଗଦେଇଛନ୍ତି। ପରିଶେଷରେ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧିକାରିଣୀ ଧନ୍ୟବାଦ ଅର୍ପଣ କରିଛନ୍ତି।

Related posts