ଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ

ନନ୍ଦିଘୋର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ ହୋଇଯାଇଛି। କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଦଘାଟନୀ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ଭୁବନେଶ୍ଵର ଲ’ କଲେଜର ଅଧ୍ୟକ୍ଷ ଡ.ଗିରୀଶ ରଂଜନ ସାହୁ, ସମାଜସେବୀ ତଥା ଜ୍ଞାନାଲୋକ ଟ୍ରଷ୍ଟ ଭୁବନେଶ୍ଵରର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ସାହୁ, ପରିବେଶ ପ୍ରେମୀ ସୁବାଷ ଚନ୍ଦ୍ର ନାୟକ ଓ ପରିବେଶବିତ୍ କବି ଡ.ସୁରେଶ ଚନ୍ଦ୍ର ବରାଡ଼। ବିଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ।

ପରେ ପରେ ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା। ସୃଜନୀକାରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ କିଶୋର କୁମାର କର ଓ ଡ. ସୁରେଶ ଚନ୍ଦ୍ର ବରାଡ଼ ବିଚାରକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆନନ୍ଦ ଓ ଆଲୋକର ଉତ୍ସବ ଅଙ୍କୁରାୟନ ପ୍ରତିବର୍ଷପରି ଆଜି ପୂର୍ବାହ୍ନ ଠିକ୍ ୮.୩୦ମିନିଟ ଆରମ୍ଭ ହୋଇଥିଲା। ବନ୍ଧୁ ସଂଗଠନ ଦ୍ଵାରା ୨୦୦୭ ମସିହାରୁ ନିରବଛିନ୍ନ ଭାବେ ଆୟୋଜିତ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ପାଇକା ନଦୀପଠା, ଲଙ୍କାପଡା(ଜଗତସିଂହପୁର) ଓ ନୟାଗଡ଼ର ଶରଣକୁଳ(ହରିହରପୁର) ଠାରେ ଏକା ସମୟରେ ତିନିଦିନ ଧରି ଚାଲି ୧୯ ତାରିଖ ରେ ଉଦ୍ଯାପିତ ହେବ। ଅଙ୍କୁରାୟନରେ ଭାଗ ନେଇଥିବା ଛାତ୍ରଛାତୀମାନେ ପୂର୍ବରୁ ନିଜର ନାମ ଅନ୍ଲାଇନରେ ପଂଜିକରଣ କରିଥିଲେ। ଏଥିରେ ଓଡିଶା ତଥା ବିଦେଶରେ ରହୁଥିବା ଓଡିଆ ପିଲାମାନେ ମଧ୍ୟ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ୨୯ ଟି ପ୍ରତିଯୋଗିତା ଛଡା ସବୁବର୍ଷ ପରି କାହାଣୀ, ଗୀତ, ଖେଳ ମାଧ୍ୟମରେ ଶିଶୁପ୍ରାଣରେ ଭାବ ଜାଗରଣ ନିମିତ୍ତ ଆନନ୍ଦକେନ୍ଦ୍ର ଓ ବିଶେଷ ବ୍ୟକ୍ତିତ୍ଵ ମାନଙ୍କ ସହ ଅଳ୍ପ ଗଳ୍ପ ମଧ୍ୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକର ବିଦ୍ୟାଳୟ ଓ କଲେଜରୁ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମକୁ ଲୋକନାଥ ପ୍ରଧାନ, ମଙ୍ଗୁଳି ସ୍ବାଇଁ, ବଇ ନାୟକ, ବାପୁନୀ, ଶିବ ଶଙ୍କର ମହାରଣା, ଉପଦେଷ୍ଟା ସୈାଦାଗର ନାୟକ, କୋଷାଧକ୍ଷ କୈଳାସ ମହାରଣା, ମଙ୍ଗଳା ନାୟକ, ଯୋଗଗୁରୁ ବୈକୁଣ୍ଠ ପ୍ରଧାନ, ଟୁଲୁ ମହାନ୍ତି, ଶରତ ଚନ୍ଦ୍ର ବରାଡ଼, ବାବୁ ସାହୁ, ହିମାଂଶୁ ମହାନ୍ତି, ସିଲୁ ମହାନ୍ତି, ବାବୁଲା ସ୍ବାଇଁ ପ୍ରମୁଖ ଗ୍ରୀନକ୍ଳବର ସଦସ୍ୟମାନେ ସୁନ୍ଦରଭାବେ ପରିଚାଳନା କରିଥିଲେ। ନୀଳମାଧବ ମିଶ୍ର ଉଦଘୋଷକ କାର୍ଯ୍ୟ ତୁଲାଇଥିଲେ। ଗ୍ରୀନକ୍ଳବର ସଂପାଦକ କୁମାର ବରାଡ଼ ସଂଯୋଜନା କରିଥିଲେ।

Related posts