କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭ’ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଲେଙ୍କୁଡ଼ିପଡ଼ା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା । ସିଆରସିସି ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା ଏବଂ ସମିତିସଭ୍ୟା ପାୟଲ ବେହେରା ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାମାନେ ସିନିୟର ଏବଂ ଜୁନିଅର ଏପରି ଦୁଇଟି ଭାଗରେ ଅଂଶ ଗ୍ରହଣ କରି ସେମାନଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ସାଧାରଣ ଜ୍ଞାନ, କୁଇଜ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦି ପରିବେଶଣ କରିଥିଲେ । କ୍ଲଷ୍ଟର ସ୍ତରୀୟ ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ସେହିପରି ଏହି ପ୍ରତିଯୋଗୀମାନେ ବ୍ଲକ ସ୍ତରରୁ ଜିଲ୍ଲା ଏବଂ ସେଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ମନୋନୀତ ହୋଇ ଅଂଶ ଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବେ । ଏହି କାର୍ଯ୍ୟକ୍ରମ ଲେଙ୍କୁଡ଼ିପଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ତତ୍ୱାବଧାନ ତଥା ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶରତ ଚନ୍ଦ୍ର ବେହେରା, ସୌଦାମିନୀ ସ୍ୱାଇଁ, ସଂଗ୍ରାମ ସାହୁ, ପ୍ରଶାନ୍ତ କୁମାର ପାତ୍ର, ଲାଲକୃଷ୍ଣ ପ୍ରଧାନ, ସ୍ମୃତିରଂଜନ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

Related posts