ଦଶପଲ୍ଲାକୁ ଦଶହରା ପୂର୍ବରୁ ଟ୍ରେନ ନ ଗଡ଼ିଲେ ଜୋରଦାର ଆନ୍ଦୋଳନ, ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ରେଳମନ୍ତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଳଷ୍ଟେସନ ଉଦଘାଟନରେ ଅନ୍ତରାୟ ସାଜିଛନ୍ତି ଖୋଦ ରେଳମନ୍ତ୍ରୀ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ଉଦଘାଟନ ହେଉ ନଥିବାରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାକୁ ରେଳବିଭାଗ ପକ୍ଷରୁ ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ,ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭାଗ ପକ୍ଷରୁ କେବଳ ପ୍ରତିଶୃତି ଛଡ଼ା କିଛି ପଦକ୍ଷେପ ନିଆଯାଉ ନାହିଁ । ଇତି ମଧ୍ୟରେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମସ୍ତ ପ୍ରକାର ଯାଞ୍ଚ ଏବଂ ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି । ଏପରିକି ଦକ୍ଷିଣ-ପୂର୍ବ ସର୍କଲ ରେଳପଥ ମୁଖ୍ୟ ସୁରକ୍ଷା ଅଧିକାରୀ ଏ.ଏମ ଚୌଧୁରୀ ସମସ୍ତ ପ୍ରକାରର ଯାଞ୍ଚକାର୍ଯ୍ୟ ସମାପ୍ତ କରି ଟ୍ରେନ ଚଳାଚଳ ପାଇଁ ନିରାପତ୍ତା ପ୍ରମାଣପତ୍ର ବିଭାଗ ନିକଟରେ ଗତ ଦୁଇମାସ ପୂର୍ବରୁ ଦାଖଲ କରି ସାରିଛନ୍ତି । ତେବେ ସମସ୍ତ ପ୍ରକାରର ଆନୁସଂଗିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନଥିବାରୁ ନୟାଗଡ଼ ଜିଲ୍ଲାବାସୀଙ୍କ ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଦଶପଲ୍ଲାରୁ ରେଳ ଚଳାଚଳ ଆରମ୍ଭ ହେଲେ ଦଶପଲ୍ଲା ଏବଂ ଏହାର ନିକଟବର୍ତ୍ତି ଅଞ୍ଚଳ ଯଥା ବାଣିଗୋଚ୍ଛା,ଟାକରା,ଗଣିଆ,ଛାମୁଣ୍ଡିଆ ଏପରିକି ଜିଲ୍ଲା ବାହାର ଫୁଲବାଣୀ,ବୌଦ୍ଧ ଆଦି ସ୍ଥାନରୁ ହଜାର ହଜାର ଯାତ୍ରୀ ପୁରୀଧାମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆକୁଳ ନୟନରେ ଚାହିଁ ବସିଛନ୍ତି । ମାତ୍ର ସେମାନଙ୍କ ଜଗନ୍ନାଥ ଦର୍ଶନ ଅଭିଳାଷକୁୁ ରେଳବିଭାଗ ଅନ୍ତରାୟ ସାଜିଛି । ଏ ନେଇ ପୂର୍ବତଟ ରେଳବିଭାଗର ଜନୈକ ପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସୂତ୍ରରେ କହିଛନ୍ତି ଯେ ରେଳମନ୍ତ୍ରୀ ନିର୍ବାଚନକୁ ଅଖି ଆଗରେ ରଖି ଏହାର ଉଦଘାଟନ ତାରିଖ ସ୍ଥିର କରିବେ । ଅତଏବ ଖୋଦ ରେଳମନ୍ତ୍ରୀ ଦଶପଲ୍ଲା ରେଳଷ୍ଟେସନ ଉଦଘାଟନର ଅନ୍ତରାୟ ସୃଷ୍ଟି କରୁଥିବା ବେଳେ ଏ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ଗତ ୨୦୧୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ ମସିହାରେ ବେଗୁନିଆ ରେଳ ଷ୍ଟେସନ ଉଦଘାଟନ ହୋଇଥିଲା । ପରବର୍ତ୍ତି ସମୟରେ ୨୦୧୭ରେ ନୟାଗଡ଼ ଟାଉନ ଏବଂ ୨୦୧୯ରେ ମହୀପୁର ଏବଂ ୨୦୨୨ ରେ ନୂଆଗାଁ ରୋଡ଼ ରେଳ ଷ୍ଟେସନ ଉଦଘାଟିତ ହୋଇ ରେଳ ଚଳାଚଳ କରୁଛି । ତେବେ ଖୋର୍ଦ୍ଧାରୋଡ଼ରୁ ଦଶପଲ୍ଲା ମାତ୍ର ୧୧୨ କିମି ରେଳପଥ ନିର୍ମାଣ ପାଇଁ ଦୀର୍ଘ ୮ବର୍ଷ ସମୟ ଲାଗିଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ପ୍ରତି ରେଳବିଭାଗର ବୈମାତୃକ ମନୋଭାବ ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଆସନ୍ତା ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳ ନହେଲେ ନୟାଗଡ଼଼ ନାଗରିକ ମଞ୍ଚ ସମେତ ବିଭିନ୍ନ ଅନୁଷ୍ଠାନ,ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି ।

Related posts