ଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ,ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ ଆଖୁଚାଷର ଭିତ୍ତି ଉପରେ ପ୍ରତିଷ୍ଠା ହୋଇଥିବା ଚିନିକଳ ଧ୍ଵଂସ ମୁଖକୁ ଚାଲିଗଲା, ହଜାର ହଜାର କର୍ମଚାରୀ,କ୍ଷେତ ଶ୍ରମିକଙ୍କର ଜୀବିକା ବୁଡିଯିବା ସହିତ ଜିଲ୍ଲାର ଏକ ପ୍ରମୁଖ ଫସଲ ଆଖୁ ଚାଷ ଡୁବିଗଲା, ଆମ ରାଜ୍ୟ ସରକାର ଜିଲ୍ଲାବାସୀ ପ୍ରଜାମାନଙ୍କର ଗୁହାରି, ବିକ୍ଷୋଭ ଆନ୍ଦୋଳନକୁ କର୍ଣ୍ଣପାତ କଲେନାହିଁ। ଏହାଠାରୁ ବଳି ବିଡ଼ମ୍ବନାର ବିଷୟ ଆଉ କଣ ହୋଇପାରେ ? ପନିପରିବା ସଂରକ୍ଷଣ ପାଇଁ ଗୋଟିଏ ହେଲେ ଶୀତଳଭଣ୍ଡାର ସରକାର ଖୋଲିଲେ ନାହିଁ। କାମ ନପାଇ ଆମ ଜିଲ୍ଲାର ହଜାର ହଜାର ଯୁବକ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି। ଜଳସେଚନର ବିହୀତ ବ୍ୟବସ୍ଥା କରି , ଫସଲ ସୁରକ୍ଷା ଓ ସଂରକ୍ଷଣର ବ୍ୟବସ୍ଥା କରି, କୃଷିଭିତ୍ତିକ ଶିଳ୍ପର ବିକାଶ ନକଲେ ଦାଦନ ସମସ୍ୟାର କିମ୍ବା ଲୋକଙ୍କ ଆର୍ଥିକ ସଙ୍କଟର ସମାଧାନ ସମ୍ଭବପର ହେବ ନାହିଁ। ଏଭଳି 5T ନାମରେ ସଚିବଙ୍କ ଆଡମ୍ବରପୂର୍ଣ୍ଣ ଗସ୍ତର ଭେଳିକି ଦେଖାଇ ମ୍ୟାଜିକ ମୁଣାରୁ ଧର୍ମାନୁଷ୍ଠାନ ଗୁଡିକୁ କିଛି ଅନୁଦାନର ଘୋଷଣା କରିଦେଲେ ଜିଲ୍ଲାର ବାସ୍ତବ ବିକାଶ ହେବନାହିଁ ବୋଲି ସି. ପି. ଆଇ.(ଏମ) ର ବରିଷ୍ଠ ନେତା ବିଶ୍ବନାଥ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ଭେଳିକି ଏକ ନିର୍ବାଚନୀ ଧୂଆଁବାଣ। ଯଦି ଆନ୍ତରିକତା ଥାଆନ୍ତା, ତେବେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ନିରବଚ୍ଛିନ୍ନ ଶାସନ କରିଥିବା ବିଜେଡ଼ି ଚିନିକଳକୁ ଡୁବେଇ ନଦେଇ ବରଂ ଜିଲ୍ଲାର ଆଖୁ ବହୁଳ ଅଞ୍ଚଳରେ ଛୋଟ ଛୋଟ ଅଧିକ ଚିନି ତଥା ଆନୁସାଙ୍ଗିକ ଆଖୁ – ଉତ୍ପାଦ କାରଖାନା ପ୍ରତିଷ୍ଠା କରି ପାରିଥାନ୍ତେ। ବନ୍ୟ ସମ୍ପଦକୁ ଭିତ୍ତି କରି କାଗଜ କଳ ପ୍ରତିଷ୍ଠା କରାଯାଇ ପାରିଥାଆନ୍ତା। କୃଷି ଉତ୍ପାଦନକୁ ଭିତ୍ତି କରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନ ପ୍ରତିଷ୍ଠା କରାଯାଇ ପାରିଥାଆନ୍ତା। କୃଷି ଓ ଶିଳ୍ପକୁ ପଙ୍ଗୁ କରି 5Tର ବହ୍ୱାଡମ୍ଵରେ ଲଘୁ କ୍ରିୟା ଜିଲ୍ଲାର ଜନଜୀବନ କୁ କିଛି ବି ବିକଶିତ କରି ପାରିବନି ବୋଲି ଶ୍ରୀ ମହାପାତ୍ର କ୍ଷେଦ ପ୍ରକାଶ କରିଛନ୍ତି।

Related posts