ଗୁରୁ ଦିବସରେ ଡ.ସୁରେଶ ବରାଡ଼ଙ୍କ ପୁସ୍ତକ “ଗୁରୁ” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ଗୁରୁ ଦିବସ ଅବସରରେ ଏକ ଆୟୋଜିତ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଡ଼. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ କବିତା ପୁସ୍ତକ “ଗୁରୁ” ଉନ୍ମୋଚିତ ହୋଇ ଯାଇଛି। ଏଥି ନିମନ୍ତେ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତଥା ଲୋକ ନୋଡ଼ାଲ ବିଦ୍ୟାପୀଠ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ଗୁରୁ ବନ୍ଧନା ତଥା ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵେତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ତଥା ପୁସ୍ତକ ଉନ୍ମୋଚନୀ ସଭାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ଭାଗବତ ଆଶ୍ରମର ମଠାଧୀଶ ବାବାଜୀ ଭଗବାନ ଦାସ ଉଦାସୀନ ମହାରାଜା ଯୋଗ ଦେଇ ଗୁରୁ ନାରଦଙ୍କ କରୁଣାରେ କିପରି ମାର୍କଣ୍ଡ ଋଷିଙ୍କର ଉଦ୍ଧାର ହୋଇଥିଲା ତାହା ବର୍ଣ୍ଣନା କରିବା ଛଳରେ କବିତା ପୁସ୍ତକ “ଗୁରୁ” ସମାଜରେ ଲୋପ ପାଇବାକୁ ବସିଥିବା ଗୁରୁ ଶିଷ୍ୟ ସମ୍ପର୍କକୁ ଉଦ୍ଜୀବିତ କରିବା ନିମନ୍ତେ ଏକ ଟନିକ ଭଳି କାର୍ଯ୍ୟ କରିବ ବୋଲି କହିଥିଲେ। ଏହା ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ପାଇଁ ଏକ ଅମୂଲ୍ୟ ନିଧି ବୋଲି ବର୍ଣ୍ଣନା କରିବା ସହ ଶ୍ରଦ୍ଧେୟ ସୁରଙ୍କୁ ପ୍ରଭୁ ଏଇମିତି ଶକ୍ତି ଦେଇଥାନ୍ତୁ ଓ ତାଙ୍କ ଲେଖନୀ ସହସ୍ରମୁଖ ହେଉ ବୋଲି ଆଶ୍ରୀବଚନ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ତଥା ଗୁରୁ ପ୍ରାଧ୍ୟାପକ ଡ଼.ଗୋବିନ୍ଦ ଚନ୍ଦ୍ର ଦାଶ କହିଥିଲେ, ନୟାଗଡ଼ ସାରସ୍ବତ ଭଣ୍ଡାରକୁ କବିଙ୍କର ଦାନ ପ୍ରଶଂସା ଯୋଗ୍ୟ। ତାଙ୍କର ପୂର୍ବ ପ୍ରକାଶିତ “ଲଡ଼ୁବାବା ବିଳାସ” ପରେ “କୁସୁମୀ” କବିଙ୍କର ଭକ୍ତିପ୍ରାଣତାର ଅନନ୍ୟ ଉଦାହରଣ। ସେ କହିଥିଲେ ତାଙ୍କ ଉପରେ ଗୁରୁଙ୍କର ଅହେତୁକୀ କୃପା ଯେ ରହିଛି ତାହାର ପ୍ରମାଣ ଏ ଗ୍ରନ୍ଥ “ଗୁରୁ”। ଲଡ଼ୁବାବା ତଥା ଗୁରୁଙ୍କ କରୁଣା ବିନା ଏପରି ଗ୍ରନ୍ଥ ରଚନା ସମ୍ପୂର୍ଣ୍ଣ ଅସମ୍ଭବ। ତାଙ୍କ ବକ୍ତବ୍ୟରେ ସେ ପୁଣି ଯୋଡ଼ି କାମନା କରିଥିଲେ ଯେ ପ୍ରଭୁଙ୍କର କରୁଣା ତାଙ୍କ ପ୍ରତି ଏହିପରି ଝରୁଥାଉ। ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରରୋଚିତ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭଗବାନ ପ୍ରଧାନ କବିଙ୍କର ଉତ୍ତୋରତ୍ତର ସାରସ୍ବତ ଉନ୍ନତି ତଥା ଓ ଛାତ୍ରଛାତ୍ରୀମାନଙ୍କର ଜୀବନରେ ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ ଅଳି କରିଥିଲେ। ଗୁରୁ ଦିବସ ନିମନ୍ତେ ଆୟୋଜିତ ବତ୍କୃତା ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ବିଭିନ୍ନ ଶ୍ରେଣୀର ସଫଳତା ପ୍ରାପ୍ତ କରିଥିବା ୨୧ଜଣ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Related posts