ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗୁରୁଦିବସ ପାଳନ

“ଗୁରୁ ହିଁ ଇଶ୍ବର” – ଶୀର୍ଷକ ଆଲୋଚନା ଚକ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ। ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି। ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାରକୁ ମଧ୍ୟ ଦୂର କରନ୍ତି। ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ବର ବୋଲି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଆଲୋଚନା ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କର ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହିତ ଗୁରୁଦିବସ ର ମାହାତ୍ମ୍ଯ ବିଷୟ ରେ ଆଲୋଚନା କରିଥିଲେ। ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ। ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ। ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ ହୁଏ କୁସୁମିତ। ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ। ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ। ତାଙ୍କ ପରି ହିତକାରୀ ସଂସାରରେ ବିରଳ ନିଶ୍ଚିତ। ସନ୍ଥ କବୀରଙ୍କ ଭାଷାରେ- ”ସଦ୍‌ଗୁରୁ ସମ କୋଇ ନହିଁ ସାତ ଦୀପ ନୌ ଖଣ୍ଡ, ତିନ୍‌ ଲୋକ ନ ପାରୟେ, ଅରୁ ଇକଇସ ବ୍ରହ୍ମାଣ୍ଡ।“ ଅର୍ଥତ୍‌ ସାତଦ୍ୱୀପ, ନଅ ଖଣ୍ଡ, ତିନି ଲୋକ, ଏକୋଇଶ ବ୍ରହ୍ମାଣ୍ଡରେ ସଦ୍‌ଗୁରୁଙ୍କ ସମାନ ହିତକାରୀ ଆପଣ କାହାକୁ ମଧ୍ୟ ପାଇବେ ନାହିଁ।

ପିତାମାତା ହେଉଛନ୍ତି ଶିଶୁର ଆଦ୍ୟଗୁରୁ। ସେମାନଙ୍କ ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ପରବର୍ତ୍ତୀ ସମୟରେ ସେ ବିଦ୍ୟାଶିକ୍ଷା ପାଇଁ ଗୁରୁଙ୍କ ଶରଣାପନ୍ନ ହୋଇଥାଏ। ଏ ଶିକ୍ଷାର କିନ୍ତୁ ଶେଷ ନ ଥାଏ। କାରଣ ଏଠି ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା। ଗୁରୁଙ୍କ ଦିଗ୍‌ଦର୍ଶନ କାରଣରୁ ସମୟଠାରୁ ସେ ବହୁତ କିଛି ଶିଖିଥାଏ। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ପାରେ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି। ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭାଷାରେ- ”ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ। ଉକ୍ତ କାର୍ଯ୍ୟକ୍ରମ ରେ ପାଞ୍ଚ ଶହ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ।

Related posts