ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ଛାୟା ବିଧାନସଭା ଅଧିବେଶନ ଅନୁଷ୍ଠିତ: ଶିଶୁ ବିଧାୟକଙ୍କ କଣ୍ଠରେ ଗୁଞ୍ଜରିତ ହେଲା ଜନସମସ୍ୟା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣତନ୍ତ୍ରର ମୂଳଦୁଆକୁ ଦୃଢ଼ କରିବା ଏବଂ ପିଲାମାନଙ୍କୁ ଦେଶର ଭବିଷ୍ୟତ ନାଗରିକ ତଥା ଦାୟିତ୍ୱସମ୍ପନ୍ନ ନେତା ଭାବେ ଗଢ଼ିିତୋଲିବା ଉଦ୍ଦେଶ୍ୟରେ ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଏକାନ୍ତ ଆକର୍ଷକ ଓ ରୋମାଞ୍ଚକର ‘ଛାୟା ବିଧାନସଭା’ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଖୁଣ ଭାବେ ମନ୍ତ୍ରୀ, ବିଧାୟକ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଭୂମିକା ଅଭିନୟ କରି ପ୍ରକୃତ ବିଧାନସଭାର ଏକ ଜୀବନ୍ତ ଚିତ୍ର ପ୍ରସ୍ତୁତ କରିଥିଲେ।

ଅଧିବେଶନ ଆରମ୍ଭରେ ପ୍ରଶ୍ନକାଳ ବେଶ୍ ଆକର୍ଷକ ରହିଥିଲା। ଶିଶୁ ବିଧାୟକମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ଗ୍ରାମାଞ୍ଚଳର ବିକାଶ ଏବଂ ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ାର ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରୀ ଦଳର ମନ୍ତ୍ରୀମାନଙ୍କୁ ଜେରା କରିଥିଲେ। ସେପଟେ ବିରୋଧୀ ଦଳର ଭୂମିକାରେ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ଜନସମସ୍ୟାକୁ ନେଇ ସରକାରଙ୍କୁ ଘେରିଥିଲେ ଏବଂ ମନ୍ତ୍ରୀମାନେ ମଧ୍ୟ ବେଶ୍ ଆତ୍ମବିଶ୍ୱାସ ଓ ଯୁକ୍ତିଯୁକ୍ତ ଭାବେ ସେଗୁଡ଼ିକର ଉତ୍ତର ରଖିଥିଲେ।
ଗଣତନ୍ତ୍ରର ବାସ୍ତବ ଜ୍ଞାନ
ଏହି କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ଆସନରେ ବସିଥିବା ଛାତ୍ରୀ ଜଣକ ଗୃହର କାର୍ଯ୍ୟକ୍ରମକୁ ଅତି ଶୃଙ୍ଖଳା ଓ ସଠିକ ଢଙ୍ଗରେ  ପରିଚାଳନା କରିଥିଲେ। ଗୃହରେ ଶୃଙ୍ଖଳା ରକ୍ଷା ଏବଂ ନିୟମ ଅନୁସାରେ ଆଲୋଚନା ଚଳାଇବାର ଶୈଳୀ ଦେଖିବା ଭଳି ଥିଲା। ଏହି ଛାୟା ବିଧାନସଭା ମାଧ୍ୟମରେ ପିଲାମାନେ ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟପ୍ରଣାଳୀ, ଆଇନ ପ୍ରଣୟନ ପ୍ରକ୍ରିୟା ଏବଂ ନେତୃତ୍ୱ ଗୁଣ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନଲାଭ କରିପାରିଛନ୍ତି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ
ଅନୁଷ୍ଠିତ ଏହି ଅନନ୍ୟ ଅଧିବେଶନ ପିଲାମାନଙ୍କ ମଧ୍ୟରେେ ନୂତନ ଉତ୍ସାହ ଭରିଦେଇଥିବାବେଳେ ଉପସ୍ଥିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କ ଏପରି ପରିପକ୍ୱ ଅଭିନୟ ଏବଂ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ।

Related posts