ଓଡ଼ଗାଁ: ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ଗ୍ରାମ ପଞ୍ଚାୟତ ଝାଡ଼ସାହି ଗାଁରେ ଆଜି ଗୋଟେ ଦିନରେ ୩ଜଣ ପୁରୁଷ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ ଭରତ ବେହେରା ୭୫ବର୍ଷ, ମୁରଲୀଧର ଡାକୁଆ ୬୫ବର୍ଷ, କୁମାରୀ ଡାକୁଆ ୫୨ବର୍ଷ ଓ ଗୋଲକ ପ୍ରଧାନ ୫୮ବର୍ଷ । ମୁରଲୀ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୧୧ଟାରେ ମୃତ୍ୟୁ ବରଣ କରିଥିବା ବେଳେ ଭରତ ବେହେରାଙ୍କ ଜ୍ଵରରୁ ମୃତ୍ୟୁ ହୋଇଥିବା ସୂଚନା। ସେହିପରି କୁମାରୀ ଆକ୍ରାନ୍ତ ଥାଇ ଜ୍ୱର ହେବାରୁ ତାଙ୍କୁ ମହିପୁର ମେଡିକାଲ ନେବାରେ ସେଠାରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଗୋଲକଙ୍କୁ ମଧ୍ୟ ଜ୍ଵର ହେବାରୁ ତାଙ୍କୁ ମେଡିକାଲ ନେବା ବାଟରେ ହିଁ ମୃତ୍ୟୁ ଘଟିଛି । ଏବେବି ଗୋଲକଙ୍କ ମୃତ ଶରୀର ଗାଁରେ ପଡିରହିଥିବା ବେଳେ ଭୟରେ ଗାଁ ଲୋକେ କେହି ପାଖକୁ ଯିବାକୁ ସାହସ କରୁନାହାନ୍ତି । ଏସମ୍ପର୍କେ ଓଡ଼ଗାଁ ତହସିଲଦାରଙ୍କୁ ଅବଗତ କରାଯାଇଥିବା ବେଳେ ପଦକ୍ଷେପ ନିଆଯାଉଛି ବୋଲି ତହସିଲଦାର କହିଛନ୍ତି । ତେବେ ଏଭଳି ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ତୁରନ୍ତ ଏକ ଡାକ୍ତରୀଦଳ ଗାଁକୁ ଆସିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।
ଓଡ଼ଗାଁ ଝାଡ଼ସାହି ଗାଁରେ ଗୋଟିଏ ଦିନରେ ୪ମୃତ, ଗାଁ ରେ କରୋନା ଭୟ
