ଘୋଳାହାଣ୍ଡିରେ ପଞ୍ଚାୟତସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ, ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର ସମ୍ବର୍ଦ୍ଧିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ୭୭ତମ ସ୍ବାଧୀନତା ଦିବସ ସମଗ୍ର ଦେଶରେ ପାଳନ ହୋଇଥିବା ବେଳେ ଉତ୍ସବ ମୁଖର ସମଗ୍ର ଦେଶ l ପୁରପଲ୍ଲୀରୁ ଆରମ୍ଭ କରି ସହର ସବୁଆଡ଼େ ଫରଫର ହୋଇ ଉଡୁଛି ତ୍ରିରଙ୍ଗା l ଏହି ଅବସରରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ପଞ୍ଚାୟତ ତରଫରୁ ଆୟୋଜିତ ସ୍ୱାଧୀନତା ଦିବସରେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ଯ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧୀନତା ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ l ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ଚାରଣ କରିବା ସହ ଦେଶର ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅବଦାନ ବିଷୟରେ ଆଲୋକ ପାତ କରିଥିଲେ l ସ୍ବାଧୀନ ଭାରତରେ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ଯ ଓ ଦାୟିତ୍ୱ ବିଷୟରେ ସଚେତନ କରିବା ସହିତ ମହାପୁରୁଷମାନଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ଘୋଳାହାଣ୍ଡି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବାଲାରସେନ ପାତ୍ର କିଛିଦିନ ପୂର୍ବେ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟପାଳ ପୁରସ୍କାର ପାଇ ବ୍ଲକ ତଥା ଜିଲ୍ଲାପାଇଁ ଗର୍ବ ଓ ଗୌରବ ଆଣିଥିଲେ l ଶ୍ରୀଯୁକ୍ତ ପାତ୍ରଙ୍କୁ ସ୍ୱାଧୀନତା ଦିବସରେ ପଞ୍ଚାୟତ ତରଫରୁ ମୁଖ୍ୟଅତିଥି ଶ୍ରୀମତୀ ସାହୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l

ଅବସର ଗ୍ରହଣ କରିଥିବା ଶିକ୍ଷକ ସୁରେଶ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ଦେବାବେଳେ

ତତ ସହିତ ଉକ୍ତ ବିଦ୍ୟାଳୟରେ ୩୨ବର୍ଷ ଧରି ସହକାରୀ ଶିକ୍ଷକ ଭାବେ ଶିକ୍ଷାଦାନ କରି କିଛିଦିନ ପୂର୍ବେ ଅବସର ଗ୍ରହଣ କରିଥିବା ସୁରେଶ କୁମାର ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ ଘୋଳାହାଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ସ୍ୱାଇଁ, ସମିତି ସଭ୍ୟ ରମେଶ ପରିଡ଼ା ସମ୍ପୂର୍ଣ ସହଯୋଗ କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସାହୁ, କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ଦାସ, ପଞ୍ଚାୟତ କର୍ମଚାରୀ ଏବଂ ସମସ୍ତ ୱାର୍ଡ଼ ସଭ୍ୟ ପ୍ରମୁଖ ସହଯୋଗ କରିଥିଲେ l

Related posts