ପକ୍ଷୀ ଜନ୍ମରୁ ପାରିକର


ବିଶ୍ୱନାଥ ମହାପାତ୍ର

ପିଲା ମୋର ନବ-ଉଦୟରେ ପଢ଼ୁଛି!
ବାପା ମନ ମୋର ମହା-ଆକାଶରେ ଉଡ଼ୁଛି!
ଖୁଆଡ଼-ଖୁଆଡ଼- ସାତପରସ୍ତ,
ବାଡ଼- ତାରଘେରା ଜବରଦସ୍ତ,
ଲୁହା ପଞ୍ଜୁରୀରେ ପୋଷା ଶୁଆପରି
ଦିନକରେ ମଞ୍ଜେ ବଢ଼ୁଛି!
ବାପାମନ ମୋର ମହାଆକାଶରେ ଉଡ଼ୁଛି!
ଶନି ରବିବାର ସାକ୍ଷାତ ଦିନ
ଭେଟଭାଟ ପାଇଁ ଅଥୟ ମନ
ମାଆ ତାହାର- ମନ କୋହର
ସିରାଗୁଡ଼ ଦଳି ଏଡ଼େ ପାହାର
ଫାଲୁଆ ଆରିଷା କରିଚି!
ବାଡ଼ି ନଡ଼ିଆର କୋରୁଆଁ ପୁର
ପେଟେ ପେଟେ ସେତ ଭରିଚି ।
ପିଠା କଲାବେଳେ ପିଲାକଥା ଭାବି
ତା’ ଆଖିରୁ କେତେ ଝରିଚି ।
ଚାରିପଟେ ତାରବାଡ଼ ପାଚେରୀ
ନବ-ଉଦୟଙ୍କୁ ରହିଚି ଘେରି ।
ପାଚେରୀ ଫାଟକେ ଦାନ୍ତି କବାଟ
ପବନକୁ ଫାଶ, ଜଗିଚି ବାଟ ।
ଭିତରୁ ବାହାର – ବାହାରୁ ଭିତର
ଯିବା- ଆସିବାକୁ ପୂରା ଆକଟ ।
ଗେଏଟେ ପାଖରେ ବାପା ମା’ ଦଳ
କା’ ହାତେ ବିସ୍କୁଟ୍ କା’ହାତେ ଫଳ,
ଆ’ ଚୁ-ଚୁ ଡାକରେ
ମାପିଚୁପି ପାଦ ପକେଇ ପକେଇ
ପିଲା ଚାହୁଁଛନ୍ତି ଲୁହା ରେଲିଙ୍ଗର ଫାଙ୍କରେ ।
ପିଲାର ଆଖିରେ ଲୁହ ଟଳମଳ
ବାପା ବୁଝାଉଛି ନହୁଅ ବିକଳ
ପାଠପଢ଼ – ବନ୍ଦୀ
ମୁକ୍ତିର ବାଟ ଖୋଲିବ!
ଭବିଷ୍ୟତ କାଳେ ମୁକ୍ତ ସକାଳେ
ଗଳାରେ ତମର ମୁକୁତାର ମାଳା ଝୁଲିବ ।
ଏମିତି କଥାରେ ପିଲାର ମନକି ଭୁଲିବ?
ଏତିକିବେଳେ ମୋ ଗଳାରମାଳା
ଖୋଜାଲୋଡ଼ାରେ ସେ ଏକୋଇବଳା
ପିଅନ ହାତରେ ଚିରିକୁଟି ପଠେଇ
ଦେଖାହେବା ପାଇଁ ଡକାରେ
ଧାଇଁଧାଇଁ ଆସି ରେଲିଂ ଧରିଲା
ସତେ ଅବା କା’ର ଧକ୍କାରେ ।
ମୁଁ ଏପଟେ ପିଲା ସେପଟେ
ମଝିରେ ଲୁହାର କବାଟ ।
ଦେଖାଚାହାଁ ପାଇଁ ଲୁହା ଚାଦରରେ
କଣାକଣା କେତେ ବାଟ ।
କଣାବାଟେ ଗୁଞ୍ଜି ଆରିଷା ପୁଡ଼ିଆ
ଧନକୁ ବୋଇଲି ପୁଅ
ସବୁକଥା ଭୁଲି ପାଠରେ ମନକୁ ଦିଅ,
ଏବେ ସିନା ବନ୍ଦୀ ଭଳିଆ ଲାଗୁଚି
ହେଲେ ଆଗକୁ ଅଛି ତୋ
ମୁକ୍ତିର ମହୁ ଘିଅ ।
କହିଦେଲି ସିନା,
ହେଲେ ଆଖିରୁ ପୋଛିଲି ଲୁହ ।
ଲାଗୁଥିଲା ସତେ
ପଞ୍ଜୁରୀ ଶୁଆକୁ
କଦଳୀ ଭୁଂଜେଇ
କହୁଥିଲି ବାରବାର….
ପଢ଼ପଢ଼ରେ ଶୁଆ
“ଚକ୍ରଧର….
ମତେ ପକ୍ଷୀ ଜନ୍ମରୁ ପାରିକର!”


ମାଳିସାହି, ନୟାଗଡ଼

Related posts