ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମତିଥି, ଆଇନଜୀବୀ ଦିବସ ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ନ୍ୟାୟମୁର୍ତ୍ତି ମୁରାହାରି ଶ୍ରୀ ରମଣ ମୁଖ୍ୟଅତିଥିଭାବେ ଯୋଗଦେଇ ଆଇନ କେବଳ ପେଶା ନୁହେଁ ଏହା ଦାୟିତ୍ୱ ବୋଲି କହିଛନ୍ତି। ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପାଳ ମଧୁମିତା ରଥ, ପରିବାର ଅଦାଲତ ଜଜ ଡ଼. ଇନ୍ଦୁ ଶର୍ମା, ପୋକ୍ସ ସ୍ୱତନ୍ତ୍ର ଜଜ ଜାନକୀ ବିଶ୍ୱାଳ, ମୁଖ୍ୟବକ୍ତା ଡ଼. କୈଳାସ ଚନ୍ଦ୍ର ବାଣ୍ଠ ପ୍ରମୁଖ ଯୋଗଦେଇ ମଧୁ ବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ନୁହେଁ, ସେ ଥିଲେ ଓଡ଼ିଆ ଜାତିର ଆତ୍ମା, ଯେତେବେଳେ ଓଡ଼ିଆ ଜାତି ତାର ପରିଚୟ ହରାଇବାର ସମ୍ଭାବନା ଥିଲାବେଳେ ମଧୁ ବାବୁଙ୍କ ସଂଘର୍ଷ ପାଇଁ ସମଗ୍ର ଓଡ଼ିଶାକୁ ଏକତ୍ର କରିପାରିଥିଲେ ବୋଲି କହିଥିଲେ। ମଧୁ ବାବୁ ଆମକୁ ଶିଖାଇଥିଲେ ଆଇନ କେବଳ ରୋଜଗାର ନୁହେଁ, ଏହା ଏକ ଧର୍ମ ଏବଂ ନ୍ୟାୟ ପାଇଁ ଲଢ଼ିବା ହେଉଛି ଏକ ପବିତ୍ର କର୍ତ୍ତବ୍ୟ।

ମଧୁ ବାବୁ ସଦା ଦୁର୍ବଳ ଓ ପୀଡ଼ିତ ମାନଙ୍କ ପକ୍ଷରେ ଦୃଢ଼ ଭାବେ ଠିଆ ହୋଇ ଶିକ୍ଷା, ଶିଳ୍ପ ଓ ସ୍ୱାବଳମ୍ବନ ଦ୍ୱାରା ଓଡ଼ିଶାକୁ ଆଗକୁ ନେବାକୁ ଚାହୁଁଥିଲେ ବୋଲି ନ୍ୟାୟାମୁର୍ତ୍ତି ଏମ.ଏସ. ରମଣ ମତବ୍ୟକ୍ତ କରିଥିଲେ। ଓକିଲ ସଙ୍ଘ ସଭାପତି ଶ୍ରୀ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସ୍ବଦେଶ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓକିଲ ସଙ୍ଘ ଦ୍ୱାରା ଆୟୋଜିତ ଓଡ଼ିଆ ଏବଂ ଇଂରାଜୀ ବାତ୍କୃତା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ନ୍ୟାୟାମୁର୍ତ୍ତି ମାନପତ୍ର ଉପଢୌକନ ଦେଇ ପୁରସ୍କୃତ କରିଥିଲେ। ଓକିଲ ସଙ୍ଘ ପକ୍ଷରୁ ନ୍ୟାୟମୁର୍ତ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ମହିଳା ଆଇନଜୀବୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳଜନନୀ ଗାନ କରାଯାଇ ଥିଲା। ଜିଲ୍ଲା ଆଇନଜୀବୀ ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ଟିମ ଦ୍ୱାରା ମଧୁବାବୁଙ୍କ ଉପରେ ଏକକ ନାଟକ ମଞ୍ଚସ୍ଥ କରାଯାଇ ଥିଲା। ଯୁବ ଆଇନଜୀବୀ ଚଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ପ୍ରସନ୍ନ କୁମାର ପଢ଼ିଆରୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା। ଏହି ଉତ୍ସବରେ ଓକିଲ ସଂଘର ବହୁ ଆଇନଜୀବୀ, ବତ୍କୃତା ପ୍ରତିଯୋଗିତା ଜୁରୀମଣ୍ଡଳୀ, କୃତି ପ୍ରତିଯୋଗି ମାନଙ୍କ ଅଭିଭାବକଙ୍କ ସମେତ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଉତ୍ସବକୁ ରୁଦ୍ଧିମନ୍ତ କରିଥିଲେ।

