ଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ୫୦୦ରୁ ଉର୍ଦ୍ଧ୍ବ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ବିଇଓଙ୍କୁ ଦେଲେ ତିନିଦଫା ଦାବୀପତ୍ର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ସରକାରଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବୀପୂରଣ ପାଇଁ ଗର୍ଜିଥିଲେ ଓଡ଼ଗାଁ ବ୍ଲକର ସମସ୍ତ ବର୍ଗର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ।ଏକ ବିରାଟ ରାଲି ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାସ୍ତାରେ ଚାଲିଚାଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଗୀତାଞ୍ଜଳି ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ନଭେମ୍ବର ୨୭ ତାରିଖରେ ସମଗ୍ର ରାଜ୍ୟର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ପିଏମଜି ଛକରେ ମୁଖ୍ୟ ଶାସନ ସଚିବ ପତ୍ରାଙ୍କ ନଂ ୧୦୯ ସିଏସ୍ ତା ୩୦/୧୧/୨୦୨୨ ରିଖ ଅନୁସାରେ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଦାବୀଗୁଡିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାତ୍ର ତାହା ପୂରଣ ନ ହେବାରୁ ବାରମ୍ବାର ଶିକ୍ଷକ ପ୍ରତିନିଧିମଣ୍ଡଳୀ ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ, ବିଭାଗୀୟମନ୍ତ୍ରୀ, ବିଧାୟକ ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ଭେଟି ଦାବୀ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପ୍ରଶାସନ ଆଢୁଆଳରେ ରହିଛି।ତେଣୁ ଆସନ୍ତା ୧୧ ତାରିଖରେ ସମଗ୍ର ଜିଲ୍ଲା ସ୍ତରରେ ଏବଂ ୧୬ ତାରିଖରୁ ସମଗ୍ର ରାଜ୍ୟରେ ସମୁହ ଛୁଟି ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ କରି ସରକାରଙ୍କ ନିଦ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି।ଫଳରେ ସମଗ୍ର ରାଜ୍ୟର ବିଦ୍ୟାଳୟଗୁଡିକରେ ତାଲା ଝୁଲିବା ସହ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ କହିଛି।ସମସ୍ତ ଠିକା ଶିକ୍ଷକମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ୪୨୦୦ ଗ୍ରେଡପେ ଅନୁଯାୟୀ ବେତନ ପ୍ରଦାନ କରିବା ଓ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଭଳି ତିନିଦଫା ସମ୍ବଳିତ ଦାବୀ ନେଇ ପ୍ରାଥମିକ ଶିକ୍ଷକ ସଂଘ,ଏନପିଏସ୍ ପ୍ରାଥମିକ ଶିକ୍ଷକ ସଂଘ,କନିଷ୍ଠ ଶିକ୍ଷକ ସଂଘ,ଏକ୍ସ କ୍ୟାଡର ଶିକ୍ଷକ ସଂଘ ଏବଂ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ଆଦି ମିଳିତ ଭାବେ ଉକ୍ତ ରାଲିରେ ଯୋଗ ଦେଇଥିଲେ।ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲାସମ୍ପାଦକ ଭକ୍ତରଂଜନ ମିଶ୍ର ଓ ଏନପିଏସ୍ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ ଏହି ବିଶାଳ ରାଲିର ନେତୄତ୍ୱ ନେଇଥିଲେ।

Related posts