ଧୁମଧାମରେ ଉଦଯାପିତ ହେଲା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ମହାସମାରୋହରେ ପାଳିତ ହୋଇଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଇଂ. ପୁନମ ପ୍ରିୟଦର୍ଶିନୀ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଦାଶ ବେନହୁର ଯୋଗ ଦେଇଥିଲେ ।

୧୯୪୬ମସିହାରୁ ପ୍ରତିଷ୍ଠିତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ସୃଷ୍ଟି କରିଛି । ଅତିଥିମାନେ ପ୍ଲାଟିନମ ଜୁବୁଲି ସମାରୋହର ଆୟୋଜକମାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଆଜିର ଅବକ୍ଷୟ ମୁଖି ସମାଜରେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ନିଜର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରୁଥିବା ବେଳେ ସମୁହ କାର୍ଯ୍ୟକୁ ସହଯୋଗ କରନ୍ତି ନାହିଁ କିନ୍ତୁ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କର ସହଯୋଗ ଲାଗି ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ଲାଟିନମ ଜୁବୁଲିର କାର୍ଯ୍ୟକାରୀ ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ, ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରମାନଙ୍କ ଦ୍ବାରା ନାଟକ ‘ମହିଷା ମର୍ଦ୍ଦିନୀ’ ପରିବେଷଣ କରାଯାଇଥିଲା।

Related posts